Menu

ପ୍ରଥମ ରାଜାବଳୀ 4

IRV

1 ଏହିରୂପେ ଶଲୋମନ ରାଜା ସମଗ୍ର ଇସ୍ରାଏଲ ଉପରେ ରାଜା ହେଲେ।

2 ଏମାନେ ତାଙ୍କର ଅଧିପତି ଥିଲେ, ଯଥା, ସାଦୋକର ପୁତ୍ର ଅସରୀୟ ଯାଜକ ଥିଲେ।

3 ଶୀଶାର ପୁତ୍ର ଇଲୀହୋରଫ ଓ ଅହୀୟ ସମ୍ପାଦକ; ଅହୀଲୂଦର ପୁତ୍ର ଯିହୋଶାଫଟ୍‍ ଇତିହାସ ଲେଖକ

4 ଓ ଯିହୋୟାଦାର ପୁତ୍ର ବନାୟ ସେନାପତି ଥିଲା; ପୁଣି, ସାଦୋକ ଓ ଅବୀୟାଥର ଯାଜକ ଥିଲେ;

5 ନାଥନର ପୁତ୍ର ଅସରୀୟ ଦେଶାଧ୍ୟକ୍ଷମାନଙ୍କର ପ୍ରଧାନ ଥିଲା ଓ ନାଥନର ପୁତ୍ର ସାବୁଦ୍‍ ଯାଜକ ଓ ରାଜାଙ୍କ ମିତ୍ର ଥିଲା।

6 ପୁଣି, ଅହୀଶାର୍‍ ଗୃହାଧ୍ୟକ୍ଷ ଥିଲା ଓ ଅବ୍‍ଦର ପୁତ୍ର ଅଦୋନୀରାମ୍‍ ବେଠିକର୍ମର ଅଧ୍ୟକ୍ଷ ଥିଲା।

7 ଆଉ ସମଗ୍ର ଇସ୍ରାଏଲ ଉପରେ ଶଲୋମନଙ୍କର ବାର ଜଣ ଦେଶାଧ୍ୟକ୍ଷ ଥିଲେ, ସେମାନେ ରାଜା ଓ ତାଙ୍କର ଗୃହ ପାଇଁ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ପ୍ରତି ଜଣ ବର୍ଷ ମଧ୍ୟରେ ଏକ ଏକ ମାସ ପାଇଁ ଦ୍ରବ୍ୟ ଯୋଗାଇଲେ।

8 ଆଉ ସେମାନଙ୍କର ନାମ ଏହି; ଇଫ୍ରୟିମର ପର୍ବତମୟ ଦେଶରେ ବିନ୍‍-ହୂର।

9 ମାକସ୍‍, ଶାଲବୀମ୍‍, ବେଥ୍-ଶେମଶ ଓ ଏଲୋନ-ବେଥ୍-ହାନନ୍‍ରେ ବିନ୍‍-ଦେକର;

10 ଅରୁବୋତରେ ବିନ୍‍-ହେଷଦ୍‍; ସୋଖୋ ଓ ସମୁଦାୟ ହେଫର ପ୍ରଦେଶ ତାହାର ଅଧୀନ ଥିଲା;

11 ସମୁଦାୟ ଦୋର ଉପପର୍ବତରେ ବିନ୍‍-ଅବୀନାଦବ୍‍; ତାହାର ଭାର୍ଯ୍ୟା ଶଲୋମନଙ୍କର କନ୍ୟା ଟାଫତ୍‍ ଥିଲା।

12 ତାନକ୍‍, ମଗିଦ୍ଦୋ, ବେଥ୍-ଶାନ୍‍ ଠାରୁ ଆବେଲ୍‍-ମହୋଲା ଓ ଯକମୀୟାମ୍‍ ପାରି ପର୍ଯ୍ୟନ୍ତ ସର୍ତ୍ତନ ନିକଟବର୍ତ୍ତୀ ଯିଷ୍ରିୟେଲ ତଳେ ଥିବା ସମଗ୍ର ବେଥ୍-ଶାନରେ ଅହୀଲୂଦର ପୁତ୍ର ବାନା।

13 ରାମୋତ୍‍-ଗିଲୀୟଦରେ ବିନ୍‍-ଗେବର; ମନଃଶିର ପୁତ୍ର ଯାୟୀରର ଗିଲୀୟଦସ୍ଥିତ ସମସ୍ତ ଗ୍ରାମ ତାହାର ଅଧୀନ ଥିଲା, ଅର୍ଥାତ୍‍ ବାଶନସ୍ଥ ଅର୍ଗୋବ-ଅଞ୍ଚଳରେ ଥିବା ପ୍ରାଚୀର-ବେଷ୍ଟିତ ଓ ପିତ୍ତଳ ଅର୍ଗଳବିଶିଷ୍ଟ ଷାଠିଏ ବୃହତ ନଗର ତାହାର ଅଧୀନ ଥିଲା;

14 ମହନୟିମରେ ଇଦ୍ଦୋର ପୁତ୍ର ଅହୀନାଦବ୍‍।

15 ନପ୍ତାଲିରେ ଅହୀମାସ୍‍; ସେ ଶଲୋମନଙ୍କର କନ୍ୟା ବାସମତ୍‍କୁ ବିବାହ କରିଥିଲା।

16 ଆଶେର ଓ ବାଲୋତ୍‍ରେ ହୂଶୟର ପୁତ୍ର ବାନା।

17 ଇଷାଖରରେ ପାରୁହର ପୁତ୍ର ଯିହୋଶାଫଟ୍‍;

18 ବିନ୍ୟାମୀନ୍‍ରେ ଏଲାର ପୁତ୍ର ଶିମୀୟି;

19 ଇମୋରୀୟମାନଙ୍କ ରାଜା ସୀହୋନର ଓ ବାଶନର ରାଜା ଓଗ୍‍ର ଗିଲୀୟଦ ଦେଶରେ ଊରିର ପୁତ୍ର ଗେବର; ସେ ଦେଶରେ ସେ ଏକମାତ୍ର ଦେଶାଧ୍ୟକ୍ଷ ଥିଲା।

20 ଯିହୁଦା ଓ ଇସ୍ରାଏଲ ଭୋଜନପାନ ଓ ଆମୋଦ ପ୍ରମୋଦ କରି ବାହୁଲ୍ୟ ହେତୁରୁ ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ବହୁସଂଖ୍ୟକ ଥିଲେ।

21 ପୁଣି, ଶଲୋମନ (ଫରାତ୍‍) ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିସର-ସୀମା ପର୍ଯ୍ୟନ୍ତ ସମସ୍ତ ରାଜ୍ୟ ଉପରେ ରାଜତ୍ୱ କଲେ; ଶଲୋମନଙ୍କର ଯାବଜ୍ଜୀବନ ସେମାନେ ଭେଟି ଆଣିଲେ ଓ ତାଙ୍କର ସେବା କଲେ।

22 ଶଲୋମନଙ୍କର ପ୍ରାତ୍ୟହିକ ଆୟୋଜନୀୟ ଦ୍ରବ୍ୟ ତିରିଶ ମହଣ ସରୁ ମଇଦା ଓ ଷାଠିଏ ମହଣ ସୁଜି,

23 ଆଉ ଦଶ ପୁଷ୍ଟ ଗୋରୁ ଓ ଚରାସ୍ଥାନରୁ କୋଡ଼ିଏ ଗୋରୁ ଓ ଏକ ଶହ ମେଷ, ଏହାଛଡ଼ା ଅନେକ ହରିଣ ଓ କୃଷ୍ଣସାର ଓ ବନଗୋରୁ ଓ ପୁଷ୍ଟ ପକ୍ଷୀ ଥିଲା।

24 କାରଣ, ସେ ତିପ୍ସହଠାରୁ ଘସା ପର୍ଯ୍ୟନ୍ତ (ଫରାତ୍‍) ନଦୀର ଏପାରିସ୍ଥିତ ସମସ୍ତ ଅଞ୍ଚଳର ରାଜାମାନଙ୍କ ଉପରେ କର୍ତ୍ତୃତ୍ୱ କଲେ; ପୁଣି, ତାଙ୍କର ଚତୁର୍ଦ୍ଦିଗସ୍ଥ ସବୁଆଡ଼େ ଶାନ୍ତି ଥିଲା।

25 ଏଣୁ ଶଲୋମନଙ୍କର ଯାବଜ୍ଜୀବନ ଦାନ୍‍ଠାରୁ ବେର୍‍ଶେବା ପର୍ଯ୍ୟନ୍ତ ଯିହୁଦା ଓ ଇସ୍ରାଏଲର ପ୍ରତ୍ୟେକ ଲୋକ ଆପଣା ଆପଣା ଦ୍ରାକ୍ଷାଲତା ଓ ଆପଣା ଆପଣା ଡିମ୍ବିରିବୃକ୍ଷ ମୂଳରେ ନିରାପଦରେ ବାସ କଲେ।

26 ଆଉ ଶଲୋମନଙ୍କର ରଥ ନିମନ୍ତେ ଚାଳିଶ ସହସ୍ର ଅଶ୍ୱଶାଳା ଓ ବାର ସହସ୍ର ଅଶ୍ୱାରୋହୀ ଥିଲେ।

27 ଆଉ ଶଲୋମନ ରାଜାଙ୍କ ନିମନ୍ତେ ଓ ଶଲୋମନ ରାଜାଙ୍କର ମେଜରେ ଭୋଜନକାରୀ ସମସ୍ତଙ୍କ ନିମନ୍ତେ ପୂର୍ବୋକ୍ତ ଦେଶାଧ୍ୟକ୍ଷମାନଙ୍କର ପ୍ରତ୍ୟେକ ଜଣ ଆପଣା ଆପଣା ନିରୂପିତ ମାସରେ ଖାଦ୍ୟଦ୍ରବ୍ୟ ଯୋଗାଇଲେ; ସେମାନେ କିଛି ଊଣା କଲେ ନାହିଁ।

28 ସେମାନଙ୍କର ପ୍ରତ୍ୟେକ ଜଣ ମଧ୍ୟ ଆପଣା ଆପଣା ନିରୂପିତ କର୍ମାନୁସାରେ ଅଶ୍ୱ ଓ ଦ୍ରୁତଗାମୀ ବାହନସକଳ ନିମନ୍ତେ ଅଧ୍ୟକ୍ଷମାନଙ୍କ ଥିବା ସ୍ଥାନକୁ ଯବ ଓ ତୃଣ ଆଣିଲେ।

29 ଆହୁରି ପରମେଶ୍ୱର ଶଲୋମନଙ୍କୁ ଅତିଶୟ ଜ୍ଞାନ ଓ ବୁଦ୍ଧି, ପୁଣି, ସମୁଦ୍ରତୀରସ୍ଥ ବାଲୁକା ନ୍ୟାୟ ମନର ବିସ୍ତୀର୍ଣ୍ଣତା ପ୍ରଦାନ କଲେ।

30 ପୂର୍ବଦେଶୀୟ ଓ ମିସରୀୟ ସମସ୍ତ ଲୋକଙ୍କର ସମୁଦାୟ ଜ୍ଞାନ ଅପେକ୍ଷା ଶଲୋମନଙ୍କର ଜ୍ଞାନ ଅଧିକ ହେଲା।

31 କାରଣ, ସେ ସମସ୍ତ ଲୋକଙ୍କଠାରୁ, ଇଷ୍ରାହୀୟ ଏଥନ୍‍ ଓ ମାହୋଲର ପୁତ୍ର ହେମନ ଓ କଲ୍‍କୋଲ୍‍ ଓ ଦର୍ଦା, ଏମାନଙ୍କଠାରୁ ଅଧିକ ଜ୍ଞାନବାନ ଥିଲେ ଓ ଚତୁର୍ଦ୍ଦିଗସ୍ଥ ସକଳ ଗୋଷ୍ଠୀ ମଧ୍ୟରେ ତାଙ୍କର ସୁଖ୍ୟାତି ବ୍ୟାପିଲା।

32 ସେ ତିନି ସହସ୍ର ନୀତିକଥା କହିଲେ ଓ ତାଙ୍କର ଗୀତ ଏକ ସହସ୍ର ପାଞ୍ଚ ଥିଲା।

33 ପୁଣି, ସେ ଲିବାନୋନର ଏରସ ବୃକ୍ଷଠାରୁ ପ୍ରାଚୀରରେ ଉତ୍ପନ୍ନ ଏସୋବ ତୃଣ ପର୍ଯ୍ୟନ୍ତ ବୃକ୍ଷମାନର ବର୍ଣ୍ଣନା କଲେ; ସେ ପଶୁ ଓ ପକ୍ଷୀ ଓ ଉରୋଗାମୀ ପ୍ରାଣୀ ଓ ମତ୍ସ୍ୟମାନଙ୍କର ମଧ୍ୟ ବର୍ଣ୍ଣନା କଲେ।

34 ପୁଣି, ପୃଥିବୀସ୍ଥ ଯେଉଁ ଯେଉଁ ରାଜା ଶଲୋମନଙ୍କର ଜ୍ଞାନ ବିଷୟ ଶୁଣିଥିଲେ, ସେମାନଙ୍କ ନିକଟରୁ ସର୍ବଦେଶୀୟ ଲୋକେ ତାଙ୍କର ଜ୍ଞାନର କଥା ଶୁଣିବାକୁ ଆସିଲେ।

Everything we make is available for free because of a generous community of supporters.

Donate