Menu

ଦ୍ୱିତୀୟ ଶାମୁୟେଲ 4

IRV

1 ଆଉ ଶାଉଲଙ୍କର ପୁତ୍ର ଈଶ୍‍ବୋଶତ ଯେତେବେଳେ ଶୁଣିଲା ଯେ, ହିବ୍ରୋଣରେ ଅବ୍‍ନର ମରିଅଛି, ସେତେବେଳେ ତାହାର ହସ୍ତ ଦୁର୍ବଳ ହେଲା ଏବଂ ସମୁଦାୟ ଇସ୍ରାଏଲ ନିରାଶ ହେଲେ।

2 ପୁଣି ଶାଉଲଙ୍କର ପୁତ୍ର ଈଶ୍‍ବୋଶତର ଦୁଇ ଜଣ ଦଳପତି ଥିଲେ; ଜଣକର ନାମ ବାନା ଓ ଅନ୍ୟର ନାମ ରେଖବ; ଏମାନେ ବିନ୍ୟାମୀନ୍-ବଂଶଜାତ ବେରୋତୀୟ ରିମ୍ମୋନ୍‍ର ପୁତ୍ର। (କାରଣ ବେରୋତ ମଧ୍ୟ ବିନ୍ୟାମୀନ୍‍ର ଅଧିକାରରେ ଗଣିତ;

3 ମାତ୍ର ବେରୋତୀୟମାନେ ଗିତ୍ତୟିମକୁ ପଳାଇଲେ ଓ ସେହି ସ୍ଥାନରେ ଆଜି ପର୍ଯ୍ୟନ୍ତ ବାସ କରୁଅଛନ୍ତି।)

4 ଶାଉଲଙ୍କର ପୁତ୍ର ଯୋନାଥନଙ୍କର ଗୋଟିଏ ପୁତ୍ର ଥିଲା, ତାହାର ଦୁଇ ପାଦ ଛୋଟା। ଯିଷ୍ରିୟେଲରୁ ଶାଉଲ ଓ ଯୋନାଥନ ବିଷୟକ ସମ୍ବାଦ ଆସିବା ବେଳେ ତାହାକୁ ପାଞ୍ଚ ବର୍ଷ ହୋଇଥିଲା, ପୁଣି ତାହାର ସେବିକା ତାହାକୁ ନେଇ ପଳାଇଲା; ମାତ୍ର ପଳାଇବା ପାଇଁ ଚଞ୍ଚଳ ହେବାରୁ ପିଲା ପଡ଼ିଯାଇ ଛୋଟା ହେଲା। ତାହାର ନାମ ମଫୀବୋଶତ୍‍।

5 ଏଥିଉତ୍ତାରେ ଈଶ୍‍ବୋଶତ ମଧ୍ୟାହ୍ନ ସମୟରେ ବିଶ୍ରାମ ନେବା ବେଳେ ବେରୋତୀୟ ରିମ୍ମୋନ୍‍ର ପୁତ୍ର ରେଖବ ଓ ବାନା ଯାଇ ପ୍ରାୟ ଖରା ବେଳେ ତାହାର ଗୃହରେ ଉପସ୍ଥିତ ହେଲେ।

6 ପୁଣି ସେମାନେ ସେଠାରେ ପ୍ରବେଶ କରି ଗହମ ଆଣିବା ଛଳରେ ଗୃହ ଭିତରକୁ ଯାଇ ତାହାର ପେଟରେ ଆଘାତ କଲେ। ତହୁଁ ରେଖବ ଓ ତାହାର ଭାଇ ବାନା ପଳାଇଗଲେ।

7 (ଘଟଣା) ଏରୂପ ହେଲା ଯେ, ସେମାନେ ଗୃହ ଭିତରକୁ ଆସି ସେ ଆପଣା ଶୟନ ଗୃହରେ ଶଯ୍ୟା ଉପରେ ଶୋଇଥିବା ସମୟରେ ତାହାକୁ ଆଘାତ କରି ବଧ କଲେ ଓ ତାହାର ମସ୍ତକ କାଟି ସେହି ମସ୍ତକ ନେଇ ଆରବା ନାମକ ଅର୍ଥାତ୍‍ ଯର୍ଦ୍ଦନ ଉପତ୍ୟକା ଦେଇ ରାତ୍ରିସାରା ଗମନ କଲେ।

8 ଏଉତ୍ତାରେ ସେମାନେ ଈଶ୍‍ବୋଶତର ମସ୍ତକ ହିବ୍ରୋଣରେ ଦାଉଦଙ୍କ କତିକି ଆଣିଲେ ଓ ରାଜାଙ୍କୁ କହିଲେ, “ଦେଖନ୍ତୁ, ଆପଣଙ୍କ ପ୍ରାଣ ଅନ୍ୱେଷଣକାରୀ ଶତ୍ରୁ ଯେ ଶାଉଲ, ତାଙ୍କର ପୁତ୍ର ଈଶ୍‍ବୋଶତର ମସ୍ତକ ଏହି; ସଦାପ୍ରଭୁ ଆଜି ଆମ ପ୍ରଭୁ ମହାରାଜାଙ୍କ ପକ୍ଷରେ ଶାଉଲ ଓ ତାଙ୍କର ବଂଶଠାରୁ ପରିଶୋଧ ନେଇଅଛନ୍ତି।”

9 ମାତ୍ର ଦାଉଦ ବେରୋତୀୟ ରିମ୍ମୋନ୍‍ର ପୁତ୍ର ରେଖବକୁ ଓ ତାହାର ଭାଇ ବାନାକୁ ଉତ୍ତର ଦେଇ କହିଲେ, “ଯେ ସମୁଦାୟ କ୍ଳେଶରୁ ମୋʼ ପ୍ରାଣକୁ ମୁକ୍ତ କରିଅଛନ୍ତି, ସେହି ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କହୁଅଛି,

10 ଯେତେବେଳେ ଜଣେ ଆପଣାକୁ ଶୁଭ ବାର୍ତ୍ତାବାହକ ମନେ କରି ମୋତେ କହିଲା, ‘ଦେଖନ୍ତୁ, ଶାଉଲ ମରିଅଛି,’ ସେତେବେଳେ ମୁଁ ତହିଁର ପୁରସ୍କାର ଦେବା ନିମନ୍ତେ ତାହାକୁ ଧରି ସିକ୍ଲଗ୍‍ଠାରେ ବଧ କଲି।

11 ତେବେ ଯେଉଁମାନେ ଧାର୍ମିକ ଲୋକକୁ ତାହାର ନିଜ ଗୃହ ଭିତରେ, ତାହାର ଶଯ୍ୟା ଉପରେ ମାରି ପକାଇଅଛନ୍ତି, ଏପରି ଦୁଷ୍ଟ ଲୋକଙ୍କୁ କି ତତୋଧିକ ନ କରିବି, ଏବେ ମୁଁ କି ତୁମ୍ଭମାନଙ୍କ ହସ୍ତରୁ ତାହାର ରକ୍ତର ପରିଶୋଧ ନ ନେବି ଓ ପୃଥିବୀରୁ ତୁମ୍ଭମାନଙ୍କୁ ଉଚ୍ଛିନ୍ନ ନ କରିବି?”

12 ତହିଁରେ ଦାଉଦ ଆପଣା ଯୁବାମାନଙ୍କୁ ଆଜ୍ଞା ଦିଅନ୍ତେ, ସେମାନେ ସେମାନଙ୍କୁ ବଧ କଲେ, ଆଉ ସେମାନଙ୍କର ହସ୍ତ ଓ ପାଦ ଛେଦନ କରି ହିବ୍ରୋଣର ପୁଷ୍କରିଣୀ ନିକଟରେ ଟଙ୍ଗାଇ ଦେଲେ। ମାତ୍ର ସେମାନେ ଈଶ୍‍ବୋଶତର ମସ୍ତକ ନେଇ ହିବ୍ରୋଣରେ ଅବ୍‍ନର-କବରରେ କବର ଦେଲେ।

Everything we make is available for free because of a generous community of supporters.

Donate