Menu

ଦ୍ୱିତୀୟ ଶାମୁୟେଲ 9

IRV

1 ଏଥିଉତ୍ତାରେ ଦାଉଦ ପଚାରିଲେ, “ଯୋନାଥନ ସକାଶୁ ମୁଁ ଯାହା ପ୍ରତି ଦୟା ପ୍ରକାଶ କରିପାରେ, ଏପରି କେହି କି ଶାଉଲଙ୍କ ବଂଶରେ ଅବଶିଷ୍ଟ ଅଛି?”

2 ତହିଁରେ ଲୋକମାନେ ସୀବଃ ନାମକ ଶାଉଲଙ୍କ ବଂଶର ଏକ ଦାସକୁ ଦାଉଦଙ୍କ ନିକଟକୁ ଡାକନ୍ତେ, ରାଜା ତାହାକୁ ପଚାରିଲେ, “ତୁମ୍ଭେ କି ସୀବଃ?” ତହୁଁ ସେ କହିଲା, “ଆପଣଙ୍କ ଦାସ ସେହି।”

3 ତହିଁରେ ରାଜା ପଚାରିଲେ, “ମୁଁ ଯାହା ପ୍ରତି ପରମେଶ୍ୱରଙ୍କ ଦୟା ପ୍ରକାଶ କରିପାରେ, ଏପରି କେହି କି ଏବେ ଶାଉଲଙ୍କ ବଂଶରେ ଅଛି?” ଏଥିରେ ସୀବଃ ରାଜାଙ୍କୁ କହିଲା, “ଯୋନାଥନର ଏକ ପୁତ୍ର ଏବେ ଅଛି, ତାହାର ପାଦ ଛୋଟା।”

4 ତହୁଁ ରାଜା ତାହାକୁ ପଚାରିଲେ, “ସେ କେଉଁଠାରେ ଅଛି?” ତହିଁରେ ସୀବଃ ରାଜାଙ୍କୁ କହିଲା, “ଦେଖନ୍ତୁ, ସେ ଲୋ-ଦବାରରେ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରେ ଅଛି।”

5 ତେବେ ଦାଉଦ ରାଜା ଲୋ-ଦବାରକୁ ଲୋକ ପଠାଇ ଅମ୍ମୀୟେଲର ପୁତ୍ର ମାଖୀରର ଗୃହରୁ ତାହାକୁ ଅଣାଇଲେ।

6 ଏଥିରେ ଶାଉଲଙ୍କର ପୌତ୍ର, ଯୋନାଥନର ପୁତ୍ର ମଫୀବୋଶତ୍‍ ଦାଉଦଙ୍କ ନିକଟକୁ ଆସି ମୁହଁ ମାଡ଼ି ପଡ଼ି ପ୍ରଣାମ କଲା। ତହୁଁ ଦାଉଦ କହିଲେ, “ହେ ମଫୀବୋଶତ୍‍।” ସେ ଉତ୍ତର କଲା, “ଦେଖନ୍ତୁ, ଆପଣଙ୍କ ଦାସ ଉପସ୍ଥିତ ଅଛି।”

7 ତହିଁରେ ଦାଉଦ ତାହାକୁ କହିଲେ, “ଭୟ ନ କର; କାରଣ ମୁଁ ତୁମ୍ଭ ପିତା ଯୋନାଥନ ସକାଶୁ ଅବଶ୍ୟ ତୁମ୍ଭ ପ୍ରତି ଦୟା ପ୍ରକାଶ କରିବି ଓ ତୁମ୍ଭ ପିତାମହ ଶାଉଲଙ୍କର ସମସ୍ତ ଭୂମି ତୁମ୍ଭକୁ ଫେରାଇ ଦେବି ଓ ତୁମ୍ଭେ ନିତ୍ୟ ମୋହର ମେଜରେ ଭୋଜନ କରିବ।”

8 ତେଣୁ ସେ ପ୍ରଣାମ କରି କହିଲା, “ମୁଁ ତ ମଲା କୁକ୍କୁର ପରି, ଆପଣ ଯେ ମୋତେ ଅନାଇବେ, ଆପଣଙ୍କ ଦାସ ଏପରି କଅଣ?”

9 ତେବେ ରାଜା ଶାଉଲଙ୍କର ଦାସ ସୀବଃକୁ ଡାକି କହିଲେ, “ମୁଁ ତୁମ୍ଭ କର୍ତ୍ତାର ପୁତ୍ରକୁ ଶାଉଲଙ୍କର ଓ ତାଙ୍କ ବଂଶର ସର୍ବସ୍ୱ ଦେଲି।

10 ଆଉ ତୁମ୍ଭେ ଓ ତୁମ୍ଭ ପୁତ୍ରମାନେ ଓ ତୁମ୍ଭ ଦାସମାନେ ତାହା ପାଇଁ ଭୂମିର କୃଷିକର୍ମ କରିବ ଓ ତୁମ୍ଭ କର୍ତ୍ତାର ପୁତ୍ରର ଖାଦ୍ୟ ନିମନ୍ତେ ତହିଁର ଫଳ ଆଣି ଦେବ; ମାତ୍ର ତୁମ୍ଭ କର୍ତ୍ତାର ପୁତ୍ର ମଫୀବୋଶତ୍‍ ନିତ୍ୟ ମୋହର ମେଜରେ ଭୋଜନ କରିବ।” ଏହି ସୀବଃର ପନ୍ଦର ପୁତ୍ର ଓ କୋଡ଼ିଏ ଦାସ ଥିଲେ।

11 ତେବେ ସୀବଃ ରାଜାଙ୍କୁ କହିଲା, “ଆମ୍ଭ ପ୍ରଭୁ ମହାରାଜ ଆପଣା ଦାସକୁ ଯେଉଁସବୁ ଆଜ୍ଞା ଦେଉଅଛନ୍ତି, ତଦନୁସାରେ ଆପଣଙ୍କ ଦାସ କରିବ।” ମଫୀବୋଶତ୍‍ ବିଷୟରେ ରାଜା କହିଲେ, “ସେ ଏକ ରାଜପୁତ୍ର ପରି ଆମ୍ଭ ମେଜରେ ଭୋଜନ କରିବ।”

12 ସେହି ମଫୀବୋଶତ୍‍ର ଏକ ସାନ ପୁତ୍ର ଥିଲା, ତାହାର ନାମ ମୀକା। ପୁଣି ସୀବଃର ଗୃହରେ ବାସକାରୀ ସମସ୍ତ ଲୋକ ମଫୀବୋଶତ୍‍ର ଦାସ ହେଲେ।

13 ଏହିରୂପେ, ମଫୀବୋଶତ୍‍ ଯିରୂଶାଲମରେ ବାସ କଲା; ସେ ନିତ୍ୟ ରାଜମେଜରେ ଭୋଜନ କଲା; ଯଦିଓ ତାହାର ଦୁଇ ପାଦ ଛୋଟା ଥିଲା।

Everything we make is available for free because of a generous community of supporters.

Donate