Menu

୨ ତୀମଥି 2

IRV

1 ଅତଏବ, ହେ ମୋହର ପୁତ୍ର, ଖ୍ରୀଷ୍ଟ ଯୀଶୁଙ୍କ ପ୍ରଦତ୍ତ ଅନୁଗ୍ରହରେ ବଳବାନ ହୁଅ,

2 ଆଉ ଅନେକ ସାକ୍ଷୀମାନଙ୍କ ସାକ୍ଷାତରେ ଯେଉଁ ସବୁ ବାକ୍ୟ ମୋʼଠାରୁ ଶୁଣିଅଛ, ଯେଉଁମାନେ ଅନ୍ୟମାନଙ୍କୁ ମଧ୍ୟ ଶିକ୍ଷା ଦେବାକୁ ସମର୍ଥ, ଏପରି ବିଶ୍ୱସ୍ତ ଲୋକମାନଙ୍କ ନିକଟରେ ସେହିସବୁ ଅର୍ପଣ କର।

3 ଖ୍ରୀଷ୍ଟ ଯୀଶୁଙ୍କର ଜଣେ ଉତ୍ତମ ଯୋଦ୍ଧା ପରି ମୋ ସହିତ କ୍ଲେଶ ସହ୍ୟ କର।

4 କୌଣସି ଲୋକ ସୈନ୍ୟକାର୍ଯ୍ୟ କରି ସଂସାରର ଅନ୍ୟ କାର୍ଯ୍ୟରେ ନିଜକୁ ଆବଦ୍ଧ କରେ ନାହିଁ, ଯେପରି ସୈନ୍ୟପଦରେ ନିଯୋଗକର୍ତ୍ତାଙ୍କୁ ସେ ସନ୍ତୁଷ୍ଟ କରିପାରେ।

5 ଆହୁରି ମଧ୍ୟ ଯଦି ଜଣେ ଲୋକ ଖେଳରେ ଭାଗ ନିଏ, ସେ ନିୟମ ଅନୁସାରେ ତାହା ନ କଲେ ମୁକୁଟ ପାଏ ନାହିଁ।

6 ଯେଉଁ କୃଷକ ପରିଶ୍ରମ କରେ, ସେ ପ୍ରଥମେ ଫଳର ଅଂଶ ପାଇବା ଉଚିତ।

7 ମୁଁ ଯାହା କହୁଅଛି, ତାହା ଚିନ୍ତା କର; ପ୍ରଭୁ ସମସ୍ତ ବିଷୟରେ ତୁମ୍ଭକୁ ବୁଦ୍ଧି ଦେବେ।

8 ମୋ ଦ୍ୱାରା ପ୍ରଚାରିତ ସୁସମାଚାର ଅନୁସାରେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ଓ ଦାଉଦଙ୍କର ବଂଶଜାତ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ମରଣ କର।

9 ସେହି ସୁସମାଚାର ନିମନ୍ତେ ମୁଁ ଅପରାଧୀ ପରି ବନ୍ଧାଯିବା ପର୍ଯ୍ୟନ୍ତ କ୍ଲେଶ ଭୋଗ କରୁଅଛି; କିନ୍ତୁ ଈଶ୍ବରଙ୍କ ବାକ୍ୟ ଆବଦ୍ଧ ନୁହେଁ।

10 ଅତଏବ, ମନୋନୀତ ଲୋକମାନେ ମଧ୍ୟ ଯେପରି ଅନନ୍ତ ଗୌରବ ସହିତ ଖ୍ରୀଷ୍ଟ ଯୀଶୁଙ୍କ ଦତ୍ତ ପରିତ୍ରାଣ ପାଆନ୍ତି, ଏଥିପାଇଁ ମୁଁ ସେମାନଙ୍କ ନିମନ୍ତେ ସମସ୍ତ ବିଷୟ ଧୈର୍ଯ୍ୟ ଧରି ସହ୍ୟ କରୁଅଛି।

11 ଏହି ବାକ୍ୟ ବିଶ୍ୱାସଯୋଗ୍ୟ, ଯଦି ତାହାଙ୍କ ସହିତ ମରିଅଛୁ, ତେବେ ତାହାଙ୍କ ସହିତ ମଧ୍ୟ ବଞ୍ଚିବା;

12 ଯଦି ଆମ୍ଭେମାନେ ଧୈର୍ଯ୍ୟ ଧରି ସହ୍ୟ କରୁ, ତେବେ ତାହାଙ୍କ ସହିତ ମଧ୍ୟ ଶାସନ କରିବା; ଯଦି ଆମ୍ଭେମାନେ ତାହାଙ୍କୁ ଅସ୍ୱୀକାର କରୁ, ତେବେ ସେ ମଧ୍ୟ ଆମ୍ଭମାନଙ୍କୁ ଅସ୍ୱୀକାର କରିବେ;

13 ଯେବେ ଆମ୍ଭେମାନେ, ଅବିଶ୍ୱସ୍ତ ହେଉ, ତେବେ ସୁଦ୍ଧା ସେ ସର୍ବଦା ବିଶ୍ୱସ୍ତ, କାରଣ ସେ ଆପଣାକୁ ଅସ୍ୱୀକାର କରିପାରନ୍ତି ନାହିଁ।

14 ଏହି ସମସ୍ତ କଥା ସ୍ମରଣ କରାଇ ଶ୍ରୋତାମାନଙ୍କର ଅହିତକର ଓ ବିନାଶଜନକ ବାଦାନୁବାଦ ନ କରିବାକୁ ସେମାନଙ୍କୁ ପ୍ରଭୁଙ୍କ ସାକ୍ଷାତରେ ଦୃଢ଼ରୂପେ ଆଦେଶ ଦିଅ।

15 ସତ୍ୟ ବାକ୍ୟ ଯଥାର୍ଥ ରୂପେ ବ୍ୟବହାର କରି, ଯେଉଁ କାର୍ଯ୍ୟକାରୀ ଲଜ୍ଜା ବୋଧ କରିବା ଆବଶ୍ୟକ ନୁହେଁ, ତାହାର ପରି ଈଶ୍ବରଙ୍କ ନିକଟରେ ଆପଣାକୁ ପରୀକ୍ଷାସିଦ୍ଧ ଦେଖାଇବାକୁ ଯତ୍ନ କର।

16 କିନ୍ତୁ ଅସାର କଥାବାର୍ତ୍ତାରୁ ଦୂରରେ ରୁହ; କାରଣ ଯେଉଁମାନେ ସେଥିରେ ଲିପ୍ତ ହେବେ, ସେମାନେ ଅଧର୍ମରେ ଅଧିକ ବୃଦ୍ଧି ପାଇବେ,

17 ଆଉ ସେମାନଙ୍କର କଥା ପଚା ଘା ପରି ଖାଇଯିବ; ସେମାନଙ୍କ ମଧ୍ୟରେ ହୁମନାୟ ଓ ଫିଲୀତ ଅନ୍ୟତମ;

18 ସେମାନେ ପୁନରୁତ୍ଥାନ ହୋଇଗଲାଣି ବୋଲି କହି ସତ୍ୟଭ୍ରଷ୍ଟ ହୋଇଅଛନ୍ତି, ପୁଣି, କେତେକଙ୍କର ବିଶ୍ୱାସ ଓଲଟାଇ ପକାଉଅଛନ୍ତି।

19 ତଥାପି ଈଶ୍ବରଙ୍କ ସ୍ଥାପିତ ସୁଦୃଢ଼ ଭିତ୍ତିମୂଳ ଅଟଳ ରହିଅଛି, ଆଉ ତହିଁ ଉପରେ ଏହା ମୁଦ୍ରାଙ୍କିତ ହୋଇଅଛି, ପ୍ରଭୁ ଆପଣା ଲୋକମାନଙ୍କୁ ଜାଣନ୍ତି, ଆଉ, ଯେ କେହି ପ୍ରଭୁଙ୍କର ନାମ ଧରେ, ସେ ଅଧର୍ମରୁ ଦୂରରେ ରହୁ।

20 ଗୋଟିଏ ବଡ଼ ଘରେ ଯେ କେବଳ ସୁନା ଓ ରୂପାର ପାତ୍ର ଥାଏ, ତାହା ନୁହେଁ, ମାତ୍ର କାଠ ଓ ମାଟିର ପାତ୍ର ମଧ୍ୟ ଥାଏ; କେତେକ ସମାଦର ଓ କେତେକ ଅନାଦର ନିମନ୍ତେ ଥାଏ।

21 ଅତଏବ, ଯଦି କେହି ସେହି ସମସ୍ତଙ୍କଠାରୁ ନିଜକୁ ଶୁଚି ରଖେ, ତାହାହେଲେ ସେ ପବିତ୍ରୀକୃତ, କର୍ତ୍ତାଙ୍କ ବ୍ୟବହାର ପାଇଁ ଉପଯୁକ୍ତ, ପୁଣି, ସମସ୍ତ ଉତ୍ତମ କାର୍ଯ୍ୟ ନିମନ୍ତେ ପ୍ରସ୍ତୁତ, ଏପରି ଏକ ସମାଦରର ପାତ୍ର ହେବ।

22 କିନ୍ତୁ ତୁମ୍ଭେ ଯୌବନ କାଳର ଅଭିଳାଷରୁ ପଳାୟନ କରି, ଯେଉଁମାନେ ଶୁଚି ହୃଦୟରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କ ସହିତ ଧାର୍ମିକତା, ବିଶ୍ୱାସ, ପ୍ରେମ ଓ ଶାନ୍ତିର ଅନୁଗାମୀ ହୁଅ।

23 ଅଜ୍ଞାନୀ ଓ ମୂର୍ଖମାନଙ୍କର ଯୁକ୍ତିତର୍କ ଯେ ବିରୋଧ ଜନ୍ମାଏ, ଏହା ଜାଣି ସେହିସବୁ ଅଗ୍ରାହ୍ୟ କର।

24 ପ୍ରଭୁଙ୍କର ଦାସ ବିରୋଧ କରିବା ଉଚିତ୍ ନୁହେଁ, ମାତ୍ର ସମସ୍ତଙ୍କ ପ୍ରତି କୋମଳ, ଶିକ୍ଷା ଦେବାରେ ନିପୁଣ ଓ ସହିଷ୍ଣୁ ହେବା ଏବଂ ବିରୋଧ କରୁଥିବା ଲୋକମାନଙ୍କୁ ମୃଦୁ ଭାବରେ ଉପଦେଶ ଦେବା ଉଚିତ;

25 ତାହାହେଲେ କେଜାଣି ଈଶ୍ବର ସେମାନଙ୍କୁ ସତ୍ୟ ସମ୍ବନ୍ଧରେ ଜ୍ଞାନ ପାଇବା ପାଇଁ ମନ-ପରିବର୍ତ୍ତନରୂପ ବର ଦେବେ,

26 ଆଉ, ଯେଉଁ ଶୟତାନ ସେମାନଙ୍କୁ ତାହାର ଇଚ୍ଛା ସାଧନ କରିବା ନିମନ୍ତେ ବନ୍ଦୀ କରିଅଛି, ସଚେତନ ହୋଇ ତାହାର ଫାନ୍ଦରୁ ମୁକ୍ତ ହେବେ।

Everything we make is available for free because of a generous community of supporters.

Donate