Menu

ପ୍ରେରିତ 17

IRV

1 ପରେ ପାଉଲ ଏବଂ ଶିଲା ଆଂଫିପଲି ଓ ଆପଲ୍ଲୋନିଆ ସହରଗୁଡ଼ିକ ଦେଇ ଯାତ୍ରା କରି ଥେସଲନୀକୀ ସହରକୁ ଆସିଲେ; ସେଠାରେ ଯିହୁଦୀମାନଙ୍କର ଗୋଟିଏ ସମାଜଗୃହ ଥିଲା।

2 ଆଉ ପାଉଲ ଆପଣା ରୀତି ଅନୁସାରେ ସେମାନଙ୍କ ନିକଟକୁ ଗଲେ, ପୁଣି, ତିନୋଟି ବିଶ୍ରାମବାର ପର୍ଯ୍ୟନ୍ତ ଶାସ୍ତ୍ରର ବାକ୍ୟ ଘେନି ସେମାନଙ୍କୁ ଉପଦେଶ ଦେଲେ,

3 ପୁଣି, ଖ୍ରୀଷ୍ଟଙ୍କର ଯେ ଦୁଃଖଭୋଗ ଓ ମୃତମାନଙ୍କ ମଧ୍ୟରୁ ଉତ୍ଥାନ କରିବା ଆବଶ୍ୟକ ଥିଲା, ଆଉ ସେ ଯେଉଁ ଯୀଶୁଙ୍କୁ ସେମାନଙ୍କ ନିକଟରେ ଘୋଷଣା କରୁଅଛନ୍ତି, ସେ ଯେ ଖ୍ରୀଷ୍ଟ, ଏହାର ସ୍ପଷ୍ଟ ପ୍ରମାଣ ଦେଲେ।

4 ସେଥିରେ ସେମାନଙ୍କ ମଧ୍ୟରୁ କେତେକ ଜଣ ବିଶ୍ୱାସ କରି ପାଉଲ ଓ ଶୀଲାଙ୍କ ସହିତ ଯୋଗ ଦେଲେ; ପୁଣି, ଯିହୁଦୀମତାବଲମ୍ବୀ ଗ୍ରୀକ୍‍ମାନଙ୍କ ମଧ୍ୟରୁ ବହୁସଂଖ୍ୟକ ଲୋକ ଓ ଅନେକ ଭଦ୍ର ମହିଳା ସେମାନଙ୍କ ସହିତ ଯୋଗ ଦେଲେ।

5 କିନ୍ତୁ ଯିହୁଦୀମାନେ ଈର୍ଷାରେ ଜଳିଉଠି ବଜାରର କେତେକ ଦୁଷ୍ଟ ଲୋକଙ୍କୁ ସାଙ୍ଗରେ ଘେନି ଲୋକଗହଳ କରି ନଗରରେ ଗଣ୍ଡଗୋଳ ଲଗାଇଦେଲେ, ଆଉ ଯାସୋନଙ୍କ ଗୃହ ଆକ୍ରମଣ କରି ସେମାନଙ୍କୁ ଲୋକମାନଙ୍କ ନିକଟକୁ ବାହାର କରି ଆଣିବା ପାଇଁ ଚେଷ୍ଟା କଲେ।

6 ମାତ୍ର ସେମାନଙ୍କୁ ନ ପାଇବାରୁ ସେମାନେ ଯାସୋନ ଓ କେତେକ ବିଶ୍ୱାସୀ ଭାଇମାନଙ୍କୁ ନଗରର ଶାସନକର୍ତ୍ତାମାନଙ୍କ ନିକଟକୁ ଟାଣିଆଣି ଉଚ୍ଚସ୍ୱରରେ ଡାକି କହିଲେ, ଏ ଯେଉଁ ଲୋକଗୁଡ଼ାକ ଜଗତକୁ ଓଲଟପାଲଟ କରିପକାଇଲେଣି, ସେମାନେ ଏଠାକୁ ମଧ୍ୟ ଆସିଅଛନ୍ତି; ସେମାନଙ୍କୁ ଯାସୋନ ଗ୍ରହଣ କରିଅଛି।

7 ଯୀଶୁ ନାମରେ ଆଉ ଜଣେ ରାଜା ଅଛି ବୋଲି କହି ଏମାନେ ସମସ୍ତେ କାଇସରଙ୍କ ଆଜ୍ଞାର ବିରୁଦ୍ଧାଚରଣ କରୁଅଛନ୍ତି।

8 ସେମାନଙ୍କର ଏହି କଥା ଶୁଣି ଲୋକସମୂହ ଓ ନଗରର ଶାସନକର୍ତ୍ତାମାନେ ବିଚଳିତ ହେଲେ।

9 ପରେ ସେମାନେ ଯାସୋନ ଓ ତାହାଙ୍କ ସଙ୍ଗୀମାନଙ୍କଠାରୁ ଜାମିନ୍ ନେଇ ସେମାନଙ୍କୁ ଛାଡ଼ିଦେଲେ।

10 ପୁଣି, ଭାଇମାନେ ଅବିଳମ୍ବରେ ପାଉଲ ଓ ଶୀଲାଙ୍କୁ ରାତି ସମୟରେ ବେରିୟା ନଗରକୁ ପଠାଇଦେଲେ; ସେମାନେ ସେହି ସ୍ଥାନରେ ପହଞ୍ଚି ଯିହୁଦୀମାନଙ୍କ ସମାଜଗୃହକୁ ଗଲେ।

11 ଥେସଲନୀକୀ ସହରରେ ଥିବା ଯିହୁଦୀମାନଙ୍କଠାରୁ ଏମାନେ ସୁଶୀଳ ଥିଲେ। ଏମାନେ ପୂର୍ଣ୍ଣ ଆଗ୍ରହରେ ବାକ୍ୟ ଗ୍ରହଣ କଲେ, ପୁଣି, ଏହି ସମସ୍ତ ସତ୍ୟ କି ନା, ତାହା ଜାଣିବା ନିମନ୍ତେ ପ୍ରତିଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ।

12 ତେଣୁ ସେମାନଙ୍କ ମଧ୍ୟରୁ ଅନେକେ ଓ ଗ୍ରୀକ୍‌ମାନଙ୍କ ମଧ୍ୟରୁ ଅନେକ ସମ୍ଭ୍ରାନ୍ତ ମହିଳା ଓ ପୁରୁଷ ମଧ୍ୟ ବିଶ୍ୱାସ କଲେ।

13 କିନ୍ତୁ ଯେତେବେଳେ ଥେସଲନୀକୀ ସହରରେ ଯିହୁଦୀମାନେ ଜାଣିଲେ ଯେ, ଈଶ୍ବରଙ୍କ ବାକ୍ୟ ପାଉଲଙ୍କ ଦ୍ୱାରା ବେରିୟାରେ ସୁଦ୍ଧା ପ୍ରଚାରିତ ହେଉଅଛି, ସେତେବେଳେ ସେମାନେ ସେ ସ୍ଥାନକୁ ମଧ୍ୟ ଆସି ଲୋକସମୂହଙ୍କୁ ଉତ୍ତେଜିତ ଓ ବିଚଳିତ କଲେ।

14 ସେଥିରେ ଭାଇମାନେ ଅବିଳମ୍ବରେ ପାଉଲଙ୍କୁ ସମୁଦ୍ର ଆଡ଼କୁ ଯିବା ପାଇଁ ପଠାଇଦେଲେ, ଆଉ ଶୀଲା ଓ ତୀମଥି ସେହି ସ୍ଥାନରେ ରହିଲେ।

15 କିନ୍ତୁ ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ, ସେମାନେ ତାହାଙ୍କୁ ଆଥିନୀ ପର୍ଯ୍ୟନ୍ତ ଆଣିଲେ, ଆଉ ଶୀଲା ଓ ତୀମଥି ଯେପରି ଅତି ଶୀଘ୍ର ତାହାଙ୍କ ନିକଟକୁ ଆସନ୍ତି, ଏହି ଆଜ୍ଞା ପାଇ ସେମାନେ ପ୍ରସ୍ଥାନ କଲେ।

16 ଆଥିନୀରେ ପାଉଲ ସେମାନଙ୍କ ଅପେକ୍ଷାରେ ଥିବା ସମୟରେ ସେହି ନଗରକୁ ପ୍ରତିମାରେ ପରିପୂର୍ଣ୍ଣ ଦେଖି ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା।

17 ତେଣୁ ସେ ସମାଜଗୃହରେ ଯିହୁଦୀ ଓ ଯିହୁଦୀମତାବଲମ୍ବୀ ଅଣଯିହୁଦୀମାନଙ୍କ ସହିତ, ଆଉ ବଜାର ଛକରେ ପ୍ରତିଦିନ ଯେଉଁମାନଙ୍କ ସାଙ୍ଗରେ ଦେଖା ହେଉଥିଲା, ସେମାନଙ୍କୁ ଉପଦେଶ ଦେଉଥିଲେ।

18 ସେଥିରେ ଏପିକୂୂରୀୟ ଓ ସ୍ତୋୟିକ ଦର୍ଶନଶାସ୍ତ୍ରର କେତେକ ଦାର୍ଶନିକ ମଧ୍ୟ ତାହାଙ୍କ ସହିତ ବାଦାନୁବାଦ କରିବାକୁ ଲାଗିଲେ, ପୁଣି, କେହି କେହି କହିଲେ, ଏ ବାଚାଳଟା କଅଣ କହିବାକୁ ଇଚ୍ଛା କରୁଅଛି? ଆଉ କେହି କେହି କହିଲେ, ସେ ଅଜଣା ଦେବତାମାନଙ୍କର ପ୍ରଚାରକ ହେଲା ପରି ଜଣାଯାଉଅଛି; କାରଣ ସେ ଯୀଶୁ ଓ ପୁନରୁତ୍ଥାନ ବିଷୟକ ସୁସମାଚାର ପ୍ରଚାର କରୁଥିଲେ।

19 ପରେ ସେମାନେ ତାହାଙ୍କୁ ଆରିୟପାଗକୁ ଘେନିଯାଇ କହିଲେ, ଏହି ଯେ ନୂତନ ଶିକ୍ଷା ଆପଣ ଦେଉଅଛନ୍ତି, ତାହା କଅଣ ବୋଲି ଆମ୍ଭେମାନେ ଜାଣି ପାରିବା କି?

20 କାରଣ ଆପଣ କେତେକ ଅଦ୍ଭୁତ ବିଷୟ ଆମ୍ଭମାନଙ୍କ କର୍ଣ୍ଣଗୋଚର କରୁଅଛନ୍ତି; ଅତଏବ ଏହି ସମସ୍ତ କଥାର ଅର୍ଥ କଅଣ, ଆମ୍ଭେମାନେ ତାହା ଜାଣିବାକୁ ଇଚ୍ଛା କରୁ।

21 ଆଥିନୀ ସହରର ଲୋକ ସମସ୍ତେ ଓ ସେଠାରେ ପ୍ରବାସୀ ବିଦେଶୀୟମାନେ କେବଳ କୌଣସି ନୂତନ କଥା କହିବା ଓ ଶୁଣିବା ଛଡ଼ା ଆଉ କାହିଁରେ କାଳକ୍ଷେପଣ କରୁ ନ ଥିଲେ।

22 ଏଥିରେ ପାଉଲ ଆରିୟପାଗର ମଧ୍ୟସ୍ଥଳରେ ଠିଆ ହୋଇ କହିଲେ, ହେ ଆଥିନୀ ସହରର ଲୋକମାନେ, ଆପଣମାନେ ଯେ ସମସ୍ତ ବିଷୟରେ ବଡ଼ ଦେବ ଭକ୍ତ, ଏହା ମୁଁ ଦେଖୁଅଛି।

23 କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜିତ ବସ୍ତୁସମସ୍ତ ଦେଖୁ ଦେଖୁ ଗୋଟିଏ ବେଦି ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, “ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ।” ଅତଏବ, ଆପଣମାନେ ନ ଜାଣି ଯାହାଙ୍କର ପୂଜା କରୁଅଛନ୍ତି, ମୁଁ ତାହାଙ୍କୁ ଆପଣମାନଙ୍କ ନିକଟରେ ପ୍ରଚାର କରୁଅଛି।

24 ଯେଉଁ ଈଶ୍ବର ଜଗତ ଓ ତନ୍ମଧ୍ୟସ୍ଥ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତନିର୍ମିତ ମନ୍ଦିର-ସମୂହରେ ବାସ କରନ୍ତି ନାହିଁ,

25 କିଅବା ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତଙ୍କୁ ଜୀବନ, ନିଶ୍ୱାସ, ଓ ସମସ୍ତ ପଦାର୍ଥ ଦାନ କରନ୍ତି।

26 ଆଉ, ସେ ପୃଥିବୀର ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତିଠାରୁ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି; ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ଓ ନିବାସର ସୀମା ସ୍ଥିର କରିଅଛନ୍ତି,

27 ସେମାନେ ଯେପରି ଈଶ୍ବରଙ୍କର ଅନ୍ୱେଷଣ କରି କାଳେ ଦରାଣ୍ଡି ଦରାଣ୍ଡି ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି, ଯଦ୍ୟପି ସେ ଆମ୍ଭମାନଙ୍କର କାହାରିଠାରୁ ଦୂରରେ ନାହାନ୍ତି।

28 କାରଣ ତାହାଙ୍କଠାରେ ଆମ୍ଭମାନଙ୍କର ଅସ୍ତି, ଗତି ଓ ସ୍ଥିତି, ଯେପରି ଆପଣମାନଙ୍କର ନିଜ କବିମାନଙ୍କ ମଧ୍ୟରୁ ସୁଦ୍ଧା କେତେକ କହିଅଛନ୍ତି, “କାରଣ ଆମ୍ଭେମାନେ ମଧ୍ୟ ତାହାଙ୍କ ବଂଶ।”

29 ତେବେ, ଆମ୍ଭେମାନେ ଈଶ୍ବରଙ୍କର ବଂଶ ହେବାରୁ ଈଶ୍ବରଙ୍କ ସ୍ୱରୂପକୁ ମନୁଷ୍ୟର ଶିଳ୍ପ ଓ କଳ୍ପନା ଅନୁସାରେ ଖୋଦିତ ସ୍ୱର୍ଣ୍ଣ କି ରୌପ୍ୟ କି ପ୍ରସ୍ତର ତୁଲ୍ୟ ବୁଝିବା ଆମ୍ଭମାନଙ୍କର ଉଚିତ୍ ନୁହେଁ।

30 ଈଶ୍ବର ସେହି ଅଜ୍ଞାନତାର କାଳ ଉପେକ୍ଷା କରିଅଛନ୍ତି ସତ୍ୟ, କିନ୍ତୁ ଏବେ ସେ ସର୍ବତ୍ର ସମସ୍ତ ମନୁଷ୍ୟଙ୍କୁ ମନ-ପରିବର୍ତ୍ତନ କରିବା ନିମନ୍ତେ ଜଣାନ୍ତି;

31 କାରଣ ଯେଉଁ ଦିନ ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା ଧାର୍ମିକତାରେ ଜଗତର ବିଚାର କରିବେ, ଏହିପରି ଗୋଟିଏ ଦିନ ସ୍ଥିର କରିଅଛନ୍ତି, ଆଉ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉତ୍ଥାପନ କରି ଏହି ବିଷୟରେ ସମସ୍ତଙ୍କ ନିକଟରେ ପ୍ରମାଣ ଦେଇଅଛନ୍ତି।

32 ମୃତମାନଙ୍କର ପୁନରୁତ୍ଥାନ କଥା ଶୁଣି କେହି କେହି ପରିହାସ କରିବାକୁ ଲାଗିଲେ; ଆଉ କେହି କେହି କହିଲେ, ଆମ୍ଭେମାନେ ଆଉ ଥରେ ଆପଣଙ୍କଠାରୁ ଏହି ବିଷୟ ଶୁଣିବା।

33 ଏହି ପ୍ରକାରେ ପାଉଲ ସେମାନଙ୍କ ମଧ୍ୟରୁ ବାହାରିଗଲେ।

34 କିନ୍ତୁ କୌଣସି କୌଣସି ଲୋକ ତାହାଙ୍କ ସପକ୍ଷ ହୋଇ ବିଶ୍ୱାସ କଲେ; ସେମାନଙ୍କ ମଧ୍ୟରେ ଏରିୟପାଗୀୟ ଦିୟନୂସୀୟ, ଦାମାରି ନାମ୍ନୀ ଜଣେ ମହିଳା ସେମାନଙ୍କ ସହିତ ଆଉ କେତେକ ଲୋକ ଥିଲେ।

Everything we make is available for free because of a generous community of supporters.

Donate