Menu

ଆମୋଷ 3

IRV

1 ହେ ଇସ୍ରାଏଲର ସନ୍ତାନଗଣ, ତୁମ୍ଭେମାନେ ଏହି ବାକ୍ୟ ଶୁଣ, ଏହା ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧରେ, ଅର୍ଥାତ୍‍, ଯେଉଁ ସମୁଦାୟ ଗୋଷ୍ଠୀକୁ ଆମ୍ଭେ ମିସର ଦେଶରୁ ବାହାର କରି ଆଣିଲୁ, ସେମାନଙ୍କ ବିରୁଦ୍ଧରେ କହିଅଛନ୍ତି,

2 “ପୃଥିବୀସ୍ଥ ଯାବତୀୟ ଗୋଷ୍ଠୀ ମଧ୍ୟରେ କେବଳ ତୁମ୍ଭମାନଙ୍କର ପରିଚୟ ଆମ୍ଭେ ନେଇଅଛୁ; ଏଥିପାଇଁ ତୁମ୍ଭମାନଙ୍କର ସକଳ ଅଧର୍ମର ପ୍ରତିଫଳ ଆମ୍ଭେ ତୁମ୍ଭମାନଙ୍କୁ ଦେବା।

3 ଏକ ପରାମର୍ଶ ନ ହେଲେ କି ଦୁଇ ଜଣ ଏକତ୍ର ଗମନ କରିବେ?

4 ଶିକାର ନ ପାଇଲେ କି ସିଂହ ବନ ମଧ୍ୟରେ ଗର୍ଜ୍ଜନ କରିବ? କୌଣସି ପଶୁ ନ ଧରିଲେ କି ଯୁବା ସିଂହ ଆପଣା ଗର୍ତ୍ତରେ ହୁଙ୍କାର କରିବ?

5 ଫାନ୍ଦ ନ ପାତିଲେ କି ପକ୍ଷୀ ଜାଲରେ ଧରାଯାଇ ଭୂମିରେ ପଡ଼ିବ? କିଛି ନ ଧରିଲେ ଜାଲ କି ଭୂମିରୁ ଛିଟିକି ଉଠିବ?

6 ନଗର ମଧ୍ୟରେ ତୂରୀ ବଜାଗଲେ ଲୋକମାନେ କି ଭୀତ ହେବେ ନାହିଁ? ସଦାପ୍ରଭୁ ନ ଘଟାଇଲେ ନଗର ମଧ୍ୟରେ କି ଅମଙ୍ଗଳ ଘଟିବ?

7 ନିଶ୍ଚୟ ପ୍ରଭୁ ସଦାପ୍ରଭୁ ନିଜ ଗୁପ୍ତ ବିଷୟ ଆପଣା ଦାସ ଭବିଷ୍ୟଦ୍‍ବକ୍ତାଗଣଙ୍କୁ ପ୍ରକାଶ ନ କରି କିଛି କରନ୍ତି ନାହିଁ।

8 ସିଂହ ଗର୍ଜ୍ଜନ କରିଅଛି, କିଏ ଭୟ ନ କରିବ? ପ୍ରଭୁ ସଦାପ୍ରଭୁ କଥା କହିଅଛନ୍ତି, କିଏ ଭବିଷ୍ୟଦ୍‍ବାକ୍ୟ ପ୍ରଚାର ନ କରିବ?”

9 ତୁମ୍ଭେମାନେ ଅସ୍ଦୋଦସ୍ଥ ସକଳ ଅଟ୍ଟାଳିକାରେ ଓ ମିସର ଦେଶସ୍ଥ ସକଳ ଅଟ୍ଟାଳିକାରେ ଘୋଷଣା କରି କୁହ, “ତୁମ୍ଭେମାନେ ଶମରୀୟାର ପର୍ବତଗଣ ଉପରେ ଏକତ୍ର ହୁଅ, ଆଉ ତହିଁ ମଧ୍ୟରେ କି ମହା କୋଳାହଳ ଓ କି ଉପଦ୍ରବମାନ ହେଉଅଛି, ଏହା ଦେଖ।”

10 କାରଣ ସଦାପ୍ରଭୁ କହନ୍ତି, “ଯେଉଁମାନେ ଆପଣା ଆପଣା ଅଟ୍ଟାଳିକାରେ ଦୌରାତ୍ମ୍ୟ ଓ ଲୁଟିତ ଦ୍ରବ୍ୟ ସଞ୍ଚୟ କରନ୍ତି, ସେମାନେ ନ୍ୟାୟ କରିବାକୁ ଜାଣନ୍ତି ନାହିଁ।”

11 ଏନିମନ୍ତେ ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, “ଏକ ଜଣ ବିପକ୍ଷ ଦେଶର ଚତୁର୍ଦ୍ଦିଗରେ (ଉଠିବ); ଆଉ, ସେ ତୁମ୍ଭଠାରୁ ତୁମ୍ଭର ବଳ ନତ କରିବ ଓ ତୁମ୍ଭର ଅଟ୍ଟାଳିକାସବୁ ଲୁଟିତ ହେବ।”

12 ସଦାପ୍ରଭୁ ଏହି କଥା କହନ୍ତି, “ମେଷପାଳକ ଯେପରି ସିଂହ ମୁଖରୁ ଦୁଇ ଗୋଡ଼ ଅବା କାନରୁ ଖଣ୍ଡେ ରକ୍ଷା କରେ, ସେପରି ଇସ୍ରାଏଲର ଯେଉଁ ସନ୍ତାନଗଣ ଶମରୀୟାରେ ଖଟର କୋଣରେ ଓ ଶଯ୍ୟାର ପାଟଗଦି ଉପରେ ବସନ୍ତି, ସେମାନେ ରକ୍ଷା କରାଯିବେ।”

13 “ତୁମ୍ଭେମାନେ ଏହା ଶୁଣ ଓ ଯାକୁବ ବଂଶ ବିରୁଦ୍ଧରେ ସାକ୍ଷ୍ୟ ଦିଅ, ଏହା ପ୍ରଭୁ ସଦାପ୍ରଭୁ, ସୈନ୍ୟାଧିପତି ପରମେଶ୍ୱର କହନ୍ତି।

14 କାରଣ ଆମ୍ଭେ ଯେଉଁ ଦିନ ଇସ୍ରାଏଲକୁ ତାହାର ସମସ୍ତ ଅପରାଧର ପ୍ରତିଫଳ ଦେବା, ସେହି ଦିନ ଆମ୍ଭେ ବେଥେଲ୍‍ସ୍ଥ ଯଜ୍ଞବେଦିସକଳକୁ ହିଁ ପ୍ରତିଫଳ ଦେବା, ତହିଁରେ ଯଜ୍ଞବେଦିର ଶୃଙ୍ଗସକଳ କଟାଯାଇ ଭୂମିରେ ପଡ଼ିବ।

15 ପୁଣି, ଆମ୍ଭେ ଶୀତକାଳର ଗୃହକୁ ଓ ଗ୍ରୀଷ୍ମକାଳର ଗୃହକୁ ଆଘାତ କରିବା; ଆଉ, ହସ୍ତୀଦନ୍ତର ଗୃହସକଳ ନଷ୍ଟ ହେବ ଓ ବଡ଼ ବଡ଼ ଗୃହ ଲୁପ୍ତ ହେବ।” ଏହା ସଦାପ୍ରଭୁ କହନ୍ତି।

Everything we make is available for free because of a generous community of supporters.

Donate