Menu

ଦ୍ୱିତୀୟ ବିବରଣ 30

IRV

1 ମୁଁ ତୁମ୍ଭ ସମ୍ମୁଖରେ ଏହି ଯେଉଁ ଆଶୀର୍ବାଦ ଓ ଅଭିଶାପ ଥୋଇଲି, ସେହି ସବୁ ଯେତେବେଳେ ତୁମ୍ଭ ପ୍ରତି ଘଟିବ, ସେତେବେଳେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟକୁ ତୁମ୍ଭକୁ ତଡ଼ି ଦେଇଅଛନ୍ତି, ସେମାନଙ୍କ ମଧ୍ୟରେ ଥାଇ ଯେବେ ତୁମ୍ଭେ ସେହି ସବୁ ସ୍ମରଣ କରିବ;

2 ଆଉ ତୁମ୍ଭେ ଓ ତୁମ୍ଭ ସନ୍ତାନଗଣ ଯେବେ ସମସ୍ତ ହୃଦୟ ଓ ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ନିକଟକୁ ଫେରି ଆସିବ ଓ ଆଜି ମୁଁ ତୁମ୍ଭମାନଙ୍କୁ ଯେଉଁସବୁ ଆଜ୍ଞା ଦେଉଅଛି, ତଦନୁସାରେ ଯେବେ ତାହାଙ୍କ ରବରେ ଅବଧାନ କରିବ;

3 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ବନ୍ଦୀତ୍ୱ ଫେରାଇବେ, ତୁମ୍ଭକୁ କରୁଣା କରିବେ ଓ ଫେରିଆସି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ ଗୋଷ୍ଠୀୟ ଲୋକମାନଙ୍କ ମଧ୍ୟରେ ତୁମ୍ଭକୁ ଛିନ୍ନଭିନ୍ନ କରିଅଛନ୍ତି, ତହିଁ ମଧ୍ୟରୁ ତୁମ୍ଭକୁ ସଂଗ୍ରହ କରିବେ।

4 ଯଦି ତୁମ୍ଭର ଦୂରୀକୃତ ଲୋକମାନଙ୍କ ମଧ୍ୟରୁ କେହି ଆକାଶମଣ୍ଡଳର ପ୍ରାନ୍ତସୀମାରେ ଥାଏ, ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେଠାରୁ ମଧ୍ୟ ତୁମ୍ଭକୁ ସଂଗ୍ରହ କରିବେ ଓ ସେଠାରୁ ତୁମ୍ଭକୁ ନେଇ ଆସିବେ।

5 ପୁଣି ତୁମ୍ଭ ପୂର୍ବପୁରୁଷମାନେ ଯେଉଁ ଦେଶ ଅଧିକାର କରିଥିଲେ, ସଦାପ୍ରଭୁ ତୁମ୍ଭ ପରମେଶ୍ୱର ସେହି ଦେଶକୁ ତୁମ୍ଭକୁ ଆଣିବେ ଓ ତୁମ୍ଭେ ତାହା ଅଧିକାର କରିବ; ଆଉ ସେ ତୁମ୍ଭର ମଙ୍ଗଳ କରି ତୁମ୍ଭ ପୂର୍ବପୁରୁଷମାନଙ୍କ ଅପେକ୍ଷା ତୁମ୍ଭର ସଂଖ୍ୟା ଅଧିକ ବୃଦ୍ଧି କରିବେ।

6 ପୁଣି, ତୁମ୍ଭେ ଯେପରି ଆପଣାର ସମସ୍ତ ହୃଦୟ ଓ ଆପଣାର ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବ, ଏଥିପାଇଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭର ହୃଦୟ ଓ ତୁମ୍ଭ ବଂଶର ହୃଦୟ ସୁନ୍ନତ କରିବେ, ତହିଁରେ ତୁମ୍ଭେ ବଞ୍ଚିବ।

7 ଆଉ ଯେଉଁମାନେ ତୁମ୍ଭକୁ ତାଡ଼ନା କଲେ, ତୁମ୍ଭର ସେହି ଶତ୍ରୁ ଓ ଘୃଣାକାରୀମାନଙ୍କ ଉପରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଏହିସବୁ ଅଭିଶାପ ବର୍ତ୍ତାଇବେ।

8 ଆଉ ତୁମ୍ଭେ ଫେରିଆସି ସଦାପ୍ରଭୁଙ୍କ ରବରେ ଅବଧାନ କରିବ ଓ ମୁଁ ଆଜି ତାହାଙ୍କର ଯେଉଁ ସମସ୍ତ ଆଜ୍ଞା ତୁମ୍ଭକୁ ଆଦେଶ କରୁଅଛି, ତାହାସବୁ ପାଳନ କରିବ।

9 ଯେବେ ତୁମ୍ଭେ ଏହି ବ୍ୟବସ୍ଥା-ପୁସ୍ତକରେ ଲିଖିତ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କ ଆଜ୍ଞା ଓ ବିଧିସବୁ ମାନିବାକୁ ତାହାଙ୍କ ରବରେ ଅବଧାନ କରିବ; ଯେବେ ତୁମ୍ଭେ ଆପଣା ସମସ୍ତ ହୃଦୟ ଓ ଆପଣା ସମସ୍ତ ପ୍ରାଣ ସହିତ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ପ୍ରତି ଫେରିବ;

10 ତେବେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭ ମଙ୍ଗଳାର୍ଥେ ତୁମ୍ଭ ହସ୍ତକୃତ କର୍ମରେ, ତୁମ୍ଭକୁ ସନ୍ତାନ ଦେଇ, ତୁମ୍ଭ ପଶୁଫଳରେ ଓ ତୁମ୍ଭ ଭୂମିର ଫଳରେ ତୁମ୍ଭକୁ ବର୍ଦ୍ଧିଷ୍ଣୁ କରିବେ ଯେହେତୁ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷମାନଙ୍କଠାରେ ଯେପରି ଆନନ୍ଦ କରିଥିଲେ, ସେପରି ତୁମ୍ଭ ମଙ୍ଗଳାର୍ଥେ ସେ ପୁନର୍ବାର ତୁମ୍ଭଠାରେ ଆନନ୍ଦ କରିବେ।

11 ଆଜି ମୁଁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା ଅତିରିକ୍ତ କଠିନ ନୁହେଁ କିଅବା ଦୂରବର୍ତ୍ତୀ ନୁହେଁ।

12 ତାହା ସ୍ୱର୍ଗରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସ୍ୱର୍ଗକୁ ଯାଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ?

13 କିଅବା ତାହା ସମୁଦ୍ର ସେପାରିରେ ନାହିଁ ଯେ, ତୁମ୍ଭେ କହିବ, ଆମ୍ଭେମାନେ ଯେପରି ତାହା ପାଳନ କରିବୁ, ଏଥିପାଇଁ କିଏ ଆମ୍ଭମାନଙ୍କ ନିମନ୍ତେ ସମୁଦ୍ର ପାର ହୋଇ ତାହା ଆମ୍ଭମାନଙ୍କ ନିକଟକୁ ଆଣିବ ଓ ଆମ୍ଭମାନଙ୍କୁ ଶୁଣାଇବ?

14 ମାତ୍ର ତୁମ୍ଭ ପାଳନାର୍ଥେ ସେ ବାକ୍ୟ ତୁମ୍ଭର ଅତି ନିକଟରେ, ତୁମ୍ଭ ମୁଖରେ ଓ ତୁମ୍ଭ ହୃଦୟରେ ଅଛି।

15 ଦେଖ, ଆଜି ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମଙ୍ଗଳ, ପୁଣି ମରଣ ଓ ଅମଙ୍ଗଳ ରଖିଅଛି।

16 ଆଜି ମୁଁ ସଦାପ୍ରଭୁ ତୁମ୍ଭ ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ପଥରେ ଚାଲିବାକୁ ଓ ତାହାଙ୍କ ଆଜ୍ଞା, ବିଧି ଓ ଶାସନ ପାଳିବାକୁ ତୁମ୍ଭକୁ ଯେଉଁ ଆଜ୍ଞା ଦେଉଅଛି, ତାହା କଲେ ତୁମ୍ଭେ ବଞ୍ଚିବ ଓ ବର୍ଦ୍ଧିଷ୍ଣୁ ହେବ, ପୁଣି, ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ, ତହିଁରେ ସଦାପ୍ରଭୁ ତୁମ୍ଭ ପରମେଶ୍ୱର ତୁମ୍ଭକୁ ଆଶୀର୍ବାଦ କରିବେ।

17 ମାତ୍ର ଯଦି ତୁମ୍ଭର ହୃଦୟ ବିମୁଖ ହେବ ଓ ତୁମ୍ଭେ ଶୁଣିବ ନାହିଁ, ମାତ୍ର ଭ୍ରାନ୍ତ ହୋଇ ଅନ୍ୟ ଦେବତାମାନଙ୍କୁ ପ୍ରଣାମ କରିବ ଓ ସେମାନଙ୍କୁ ସେବା କରିବ;

18 ତେବେ ମୁଁ ଆଜି ତୁମ୍ଭମାନଙ୍କ ନିକଟରେ ପ୍ରକାଶ କରୁଅଛି ଯେ, ତୁମ୍ଭେମାନେ ନିତାନ୍ତ ବିନଷ୍ଟ ହେବ; ତୁମ୍ଭେମାନେ ଯେଉଁ ଦେଶ ଅଧିକାର କରିବା ପାଇଁ ଯର୍ଦ୍ଦନ ପାର ହୋଇ ଯାଉଅଛ, ତହିଁରେ ତୁମ୍ଭେମାନେ ଆପଣାମାନଙ୍କ ଦିନ ବଢ଼ାଇବ ନାହିଁ।

19 ମୁଁ ଆଜି ତୁମ୍ଭମାନଙ୍କ ପ୍ରତିକୂଳରେ ସ୍ୱର୍ଗ ଓ ମର୍ତ୍ତ୍ୟକୁ ସାକ୍ଷୀ କରି କହୁଅଛି ଯେ, ମୁଁ ତୁମ୍ଭ ସମ୍ମୁଖରେ ଜୀବନ ଓ ମରଣ, ଆଶୀର୍ବାଦ ଓ ଅଭିଶାପ ରଖିଅଛି; ଏନିମନ୍ତେ ତୁମ୍ଭେ ଓ ତୁମ୍ଭର ବଂଶ ଯେପରି ବଞ୍ଚିବ, ଏଥିପାଇଁ ଜୀବନ ମନୋନୀତ କର;

20 ଅର୍ଥାତ୍‍, ସଦାପ୍ରଭୁ ଆପଣା ପରମେଶ୍ୱରଙ୍କୁ ପ୍ରେମ କରିବାକୁ, ତାହାଙ୍କ ରବରେ ଅବଧାନ କରିବାକୁ ଓ ତାହାଙ୍କଠାରେ ଆସକ୍ତ ହେବାକୁ (ମନୋନୀତ କର); କାରଣ ସେ ତୁମ୍ଭର ଜୀବନ ଓ ଦୀର୍ଘ ପରମାୟୁ ଅଟନ୍ତି; ତାହା କଲେ, ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କୁ ଓ ଇସ୍‌ହାକଙ୍କୁ ଓ ଯାକୁବଙ୍କୁ ଯେଉଁ ଦେଶ ଦେବା ପାଇଁ ଶପଥ କରିଅଛନ୍ତି, ତହିଁରେ ତୁମ୍ଭେ ବାସ କରି ପାରିବ।

Everything we make is available for free because of a generous community of supporters.

Donate