Menu

ଏଷ୍ଟର 5

IRV

1 ଏଉତ୍ତାରୁ ତୃତୀୟ ଦିନ ଏଷ୍ଟର ରାଜକୀୟ ବସ୍ତ୍ର ପିନ୍ଧି ରାଜଗୃହର ଭିତର ପ୍ରାଙ୍ଗଣରେ ରାଜଗୃହ ସମ୍ମୁଖରେ ଠିଆ ହେଲେ; ସେହି ସମୟରେ ରାଜା ରାଜଗୃହରେ ଗୃହଦ୍ୱାର ସମ୍ମୁଖରେ ରାଜସିଂହାସନ ଉପରେ ଉପବିଷ୍ଟ ଥିଲେ।

2 ଏଥିରେ ରାଜା ଏଷ୍ଟର ରାଣୀଙ୍କୁ ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ, ପୁଣି ଏଷ୍ଟର ରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢ଼ାଇଲେ; ତେଣୁ ଏଷ୍ଟର ନିକଟକୁ ଆସି ରାଜଦଣ୍ଡର ଅଗ୍ରଭାଗ ଛୁଇଁଲେ।

3 ପୁଣି, ରାଜା ତାହାଙ୍କୁ ପଚାରିଲେ, “ଆଗୋ ଏଷ୍ଟର ରାଣୀ, ତୁମ୍ଭର କି ବାଞ୍ଛା ଓ କି ପ୍ରାର୍ଥନା? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମ୍ଭକୁ ଦତ୍ତ ହେବ।”

4 ଏଷ୍ଟର ଉତ୍ତର କଲେ, “ଯେବେ ମହାରାଜାଙ୍କ ଦୃଷ୍ଟିରେ ଭଲ ଦିଶେ, ତେବେ ମୁଁ ଆପଣଙ୍କ ପାଇଁ ଯେଉଁ ଭୋଜ ପ୍ରସ୍ତୁତ କରିଅଛି, ମହାରାଜ ଓ ହାମନ୍‍ ଆଜି ସେହି ଭୋଜକୁ ଆଗମନ କରନ୍ତୁ।”

5 ଏଥିରେ ରାଜା କହିଲେ, “ଏଷ୍ଟରଙ୍କ କଥାନୁସାରେ ଶୀଘ୍ର କର୍ମ କରିବା ପାଇଁ ହାମନ୍‍କୁ କୁହ;” ଏଥିଉତ୍ତାରେ ରାଜା ଓ ହାମନ୍‍ ଏଷ୍ଟରଙ୍କ ପ୍ରସ୍ତୁତ ଭୋଜକୁ ଆସିଲେ।

6 ଏଥିରେ ରାଜା ଭୋଜରେ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟରଙ୍କୁ କହିଲେ, ତୁମ୍ଭର ନିବେଦନ କଅଣ? “ତାହା ତୁମ୍ଭକୁ ଦତ୍ତ ହେବ; ପୁଣି, ତୁମ୍ଭର ପ୍ରାର୍ଥନା କଅଣ? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ସିଦ୍ଧ ହେବ।”

7 ତହିଁରେ ଏଷ୍ଟର ଉତ୍ତର ଦେଲେ, “ମୋହର ନିବେଦନ ଓ ପ୍ରାର୍ଥନା ଏହି;

8 ମୁଁ ଯେବେ ମହାରାଜାଙ୍କ ଦୃଷ୍ଟିରେ ଅନୁଗ୍ରହ ପାଇଅଛି, ପୁଣି ମୋହର ନିବେଦନୀୟ ବିଷୟ ଦେବାକୁ ଓ ପ୍ରାର୍ଥନା ସିଦ୍ଧ କରିବାକୁ ଯେବେ ମହାରାଜ ତୁଷ୍ଟ ହୁଅନ୍ତି, ତେବେ ମୁଁ ଯେଉଁ ଭୋଜ ଆପଣମାନଙ୍କ ନିମନ୍ତେ ପ୍ରସ୍ତୁତ କରିବି, ତହିଁକି ମହାରାଜ ଓ ହାମନ୍‍ ଆସନ୍ତୁ, ମୁଁ କାଲି ମହାରାଜାଙ୍କ ଆଜ୍ଞାନୁସାରେ କହିବି।”

9 ତହିଁରେ ସେହି ଦିନ ହାମନ୍‍ ଆନନ୍ଦିତ ଓ ହୃଷ୍ଟଚିତ୍ତ ହୋଇ ବାହାରକୁ ଗଲା; ମାତ୍ର ହାମନ୍‍ ରାଜଦ୍ୱାରରେ ଆପଣା ସମ୍ମୁଖରେ ମର୍ଦ୍ଦଖୟଙ୍କୁ ଉଠି ଠିଆ ନ ହେବାର କିଅବା ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦଖୟ ବିରୁଦ୍ଧରେ କ୍ରୋଧରେ ପରିପୂର୍ଣ୍ଣ ହେଲେ।

10 ତଥାପି ହାମନ୍‍ ଆପଣା କ୍ରୋଧ ସମ୍ଭାଳି ଗୃହକୁ ଗଲା, ପୁଣି ଆପଣା ମିତ୍ରଗଣକୁ ଓ ଆପଣା ଭାର୍ଯ୍ୟା ସେରଶ୍‍କୁ ଡକାଇ ଆଣିଲେ।

11 ଆଉ, ହାମନ୍‍ ଆପଣା ଧନ ଓ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ଓ ରାଜା କିପରି ତାହାର ପଦ ବୃଦ୍ଧି କରିଅଛନ୍ତି ଓ କିପରି ତାହାଙ୍କୁ ଆପଣା ଅଧିପତିମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଅଛନ୍ତି, ଏହିସବୁ ବିଷୟ ସେମାନଙ୍କୁ ଶୁଣାଇଲେ।

12 ହାମନ୍‍ ଆହୁରି କହିଲେ, “ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜକୁ ମୋʼ ବିନୁ ଆଉ କାହାକୁ ରାଜାଙ୍କ ସଙ୍ଗେ ଯିବାକୁ ଦେଇ ନାହାନ୍ତି; ପୁଣି, କାଲିକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି।

13 ମାତ୍ର ଯେପର୍ଯ୍ୟନ୍ତ ମୁଁ ଯିହୁଦୀୟ ମର୍ଦ୍ଦଖୟଙ୍କୁ ରାଜଦ୍ୱାରରେ ବସିବାର ଦେଖୁଥିବି, ସେପର୍ଯ୍ୟନ୍ତ ଏହିସବୁରେ ମୋହର କିଛି ଫଳ ନାହିଁ।”

14 ତେଣୁ ତାହାର ଭାର୍ଯ୍ୟା ସେରଶ୍‍ ଓ ମିତ୍ର ସମସ୍ତେ ତାହାଙ୍କୁ କହିଲେ, “ପଚାଶ ହାତ ଉଚ୍ଚ ଏକ ଫାଶୀକାଠ ପ୍ରସ୍ତୁତ କରାଯାଉ; ପୁଣି, ମର୍ଦ୍ଦଖୟଙ୍କୁ ତହିଁରେ ଫାଶୀ ଦେବା ପାଇଁ କାଲି ପ୍ରାତଃକାଳେ ରାଜାଙ୍କୁ କୁହ, ତହିଁ ଉତ୍ତାରେ ହୃଷ୍ଟ ହୋଇ ରାଜାଙ୍କ ସହିତ ଭୋଜକୁ ଯାଅ।” ଏହି କଥାରେ ହାମନ୍‍ ସନ୍ତୁଷ୍ଟ ହୋଇ ସେହିରୂପ ଫାଶୀକାଠ ପ୍ରସ୍ତୁତ କରାଇଲେ।

Everything we make is available for free because of a generous community of supporters.

Donate