Menu

ଯିହିଜିକଲ 9

IRV

1 ତେବେ ସେ ଉଚ୍ଚସ୍ୱରରେ ମୋʼ କର୍ଣ୍ଣରେ ଏହି କଥା କହିଲେ, “ତୁମ୍ଭେମାନେ ନଗରରେ ନିଯୁକ୍ତ କର୍ମଚାରୀମାନଙ୍କୁ ନିକଟକୁ ଅଣାଅ, ପ୍ରତ୍ୟେକେ ଆପଣା ଆପଣା ହସ୍ତରେ ବିନାଶକ ଅସ୍ତ୍ର ଧରି ଆସନ୍ତୁ।”

2 ଏଥିରେ ଦେଖ, ଉତ୍ତର ଦିଗସ୍ଥ ଉଚ୍ଚତର ଦ୍ୱାରର ପଥରୁ ଛଅ ଜଣ ପୁରୁଷ ଆସିଲେ, ସେମାନଙ୍କର ପ୍ରତ୍ୟେକର ହସ୍ତରେ ସଂହାରକ ଅସ୍ତ୍ର ଥିଲା ଓ ସେମାନଙ୍କର ମଧ୍ୟସ୍ଥାନରେ ଶୁକ୍ଳବସ୍ତ୍ର ପରିହିତ ଏକ ପୁରୁଷ ଥିଲେ, ତାଙ୍କର ପାର୍ଶ୍ୱରେ ଲେଖକର କାଳୀଘଡ଼ି ଥିଲା। ପୁଣି, ସେମାନେ ଭିତରକୁ ଯାଇ ପିତ୍ତଳମୟ ଯଜ୍ଞବେଦିର ପାର୍ଶ୍ୱରେ ଠିଆ ହେଲେ।

3 ପୁଣି, ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଯେଉଁ କିରୂବର ଉପରେ ଥିଲା, ତାହା ତାହାଠାରୁ ଉଠି ଗୃହର ଏରୁଣ୍ଡି ନିକଟକୁ ଯାଇଥିଲା; ଆଉ, ସେ ସେହି ଶୁକ୍ଳବସ୍ତ୍ର ପରିହିତ ଓ ପାର୍ଶ୍ୱରେ ଲେଖକର କାଳୀଘଡ଼ିଧାରୀ ପୁରୁଷକୁ ଡାକିଲେ।

4 ପୁଣି, ସଦାପ୍ରଭୁ ତାହାକୁ କହିଲେ, “ତୁମ୍ଭେ ନଗରର ମଧ୍ୟଦେଇ, ଯିରୂଶାଲମର ମଧ୍ୟଦେଇ ଯାଅ ଓ ତହିଁ ମଧ୍ୟରେ କୃତ ସକଳ ଘୃଣାଯୋଗ୍ୟ କ୍ରିୟା ସକାଶୁ ଯେଉଁ ଲୋକମାନେ ଦୀର୍ଘ ନିଃଶ୍ୱାସ ଛାଡ଼ନ୍ତି ଓ କାତରୋକ୍ତି କରନ୍ତି, ସେମାନଙ୍କର କପାଳରେ ଚିହ୍ନ ଦିଅ।”

5 ଆଉ, ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣଗୋଚରରେ କହିଲେ, “ତୁମ୍ଭେମାନେ ତାହାର ପଛେ ପଛେ ନଗର ମଧ୍ୟକୁ ଯାଇ ସଂହାର କର; ଚକ୍ଷୁଲଜ୍ଜା କି ଦୟା କର ନାହିଁ।

6 ବୃଦ୍ଧ, ଯୁବା, କୁମାରୀ, ଶିଶୁ ଓ ସ୍ତ୍ରୀଲୋକ ସମସ୍ତଙ୍କୁ ନିଃଶେଷ ରୂପେ ବଧ କର; ମାତ୍ର ଯେଉଁମାନଙ୍କଠାରେ ଚିହ୍ନ ଅଛି, ସେମାନଙ୍କ ନିକଟକୁ ଯାଅ ନାହିଁ; ଆଉ, ଆମ୍ଭର ଧର୍ମଧାମଠାରୁ ଆରମ୍ଭ କର।” ତହିଁରେ ସେମାନେ ଗୃହର ସମ୍ମୁଖସ୍ଥିତ ପ୍ରାଚୀନଗଣଠାରୁ ଆରମ୍ଭ କଲେ।

7 ପୁଣି, ସେ ସେମାନଙ୍କୁ କହିଲେ, “ଗୃହ ଅଶୁଚି କର ଓ ହତ ଲୋକରେ ପ୍ରାଙ୍ଗଣସବୁ ପରିପୂର୍ଣ୍ଣ କର; ତୁମ୍ଭେମାନେ ବାହାରି ଯାଅ।” ତହିଁରେ ସେମାନେ ବାହାରିଯାଇ ନଗର ମଧ୍ୟରେ ସଂହାର କଲେ।

8 ଆଉ, ସେମାନେ ଯେତେବେଳେ ସଂହାର କରୁଥିଲେ, ସେତେବେଳେ ମୁଁ ଅବଶିଷ୍ଟ ରହିଲି, ତହିଁରେ ମୁଁ ଉବୁଡ଼ ହୋଇ କ୍ରନ୍ଦନ କରି କହିଲି, “ଆହା, ପ୍ରଭୋ ସଦାପ୍ରଭୋ! ତୁମ୍ଭେ କି ଯିରୂଶାଲମ ଉପରେ ଆପଣା କୋପ ଢାଳି ଦେଇ ଇସ୍ରାଏଲର ସମୁଦାୟ ଅବଶିଷ୍ଟାଂଶକୁ ବିନାଶ କରିବ?”

9 ତହିଁରେ ସେ ମୋତେ କହିଲେ, “ଇସ୍ରାଏଲ ଓ ଯିହୁଦା ବଂଶର ଅଧର୍ମ ଅତ୍ୟନ୍ତ ବଡ଼ ଓ ଦେଶ ରକ୍ତରେ ପରିପୂର୍ଣ୍ଣ, ଆଉ ନଗର ଅନ୍ୟାୟ ବିଚାରରେ ପରିପୂର୍ଣ୍ଣ ହୋଇଅଛି; କାରଣ ସେମାନେ କହନ୍ତି, ‘ସଦାପ୍ରଭୁ ପୃଥିବୀକୁ ତ୍ୟାଗ କରିଅଛନ୍ତି ଓ ସଦାପ୍ରଭୁ ଦେଖନ୍ତି ନାହିଁ।’

10 ଏହେତୁ ଆମ୍ଭେ ମଧ୍ୟ ଚକ୍ଷୁଲଜ୍ଜା କରିବା ନାହିଁ, କିଅବା ଦୟା କରିବା ନାହିଁ, ମାତ୍ର ଆମ୍ଭେ ସେମାନଙ୍କ ଆଚରଣର ପ୍ରତିଫଳ ସେମାନଙ୍କ ମସ୍ତକରେ ବର୍ତ୍ତାଇବା।”

11 ଏଉତ୍ତାରେ ଦେଖ, ଶୁକ୍ଳବସ୍ତ୍ର ପରିହିତ ଓ ଆପଣା ପାର୍ଶ୍ୱରେ କାଳୀଘଡ଼ିଧାରୀ ସେହି ପୁରୁଷ ସମ୍ବାଦ ଦେଇ କହିଲେ, “ଆପଣ ଆମ୍ଭକୁ ଯେପରି ଆଜ୍ଞା କଲେ, ଆମ୍ଭେ ସେହିପରି କରିଅଛୁ।”

Everything we make is available for free because of a generous community of supporters.

Donate