Menu

ହୋଶେୟ 13

IRV

1 ଇଫ୍ରୟିମ କଥା କହିବା ବେଳେ ଲୋକମାନେ କମ୍ପିତ ହେଲେ; ସେ ଇସ୍ରାଏଲ ମଧ୍ୟରେ ଆପଣାକୁ ଉନ୍ନତ କଲା; ମାତ୍ର ବାଲ୍‍ଦେବ ବିଷୟରେ ଯେତେବେଳେ ସେ ଦୋଷ କଲା, ସେତେବେଳେ ସେ ମଲା।

2 ପୁଣି, ଏବେ ସେମାନେ ଅଧିକ ଅଧିକ ପାପ କରନ୍ତି ଓ ରୂପାର ଢଳା ପ୍ରତିମା, ଅର୍ଥାତ୍‍, ଆପଣା ଆପଣା ବୁଦ୍ଧି ଅନୁସାରେ ଦେବତା ନିର୍ମାଣ କରିଅଛନ୍ତି। ସେସବୁ କାରିଗରର କର୍ମ; ସେହି ସବୁର ବିଷୟରେ ସେମାନେ କହନ୍ତି, ଯେଉଁ ଲୋକମାନେ ବଳିଦାନ କରନ୍ତି, ସେମାନେ ଗୋବତ୍ସ ପ୍ରତିମାଗଣକୁ ଚୁମ୍ବନ କରନ୍ତୁ।

3 ଏଥିପାଇଁ ସେମାନେ ପ୍ରାତଃକାଳରେ ମେଘ ଓ ପ୍ରତ୍ୟୁଷର ବହିଯିବା କାକର ଓ ଘୂର୍ଣ୍ଣିବାୟୁରେ ଖଳାରୁ ଉଡ଼ିଯିବା ତୁଷ ଓ ନଳ ଦେଇ ବାହାରି ଯିବା ଧୂଆଁ ପରି ହେବେ।

4 ତଥାପି ମିସର ଦେଶଠାରୁ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର ଅଟୁ ଓ ତୁମ୍ଭେ ଆମ୍ଭ ଛଡ଼ା ଆଉ କାହାକୁ ପରମେଶ୍ୱର ବୋଲି ଜାଣିବ ନାହିଁ ଓ ଆମ୍ଭ ବ୍ୟତୀତ ଅନ୍ୟ ତ୍ରାଣକର୍ତ୍ତା ନାହିଁ।

5 ଆମ୍ଭେ ପ୍ରାନ୍ତରରେ ଓ ମହାମରୁଭୂମିରେ ତୁମ୍ଭକୁ ଜାଣିଲୁ।

6 ସେମାନେ ଆମ୍ଭମାନଙ୍କ ଚରାଣି ସ୍ଥାନ ଅନୁସାରେ ପରିତୃପ୍ତ ହେଲେ; ସେମାନେ ପରିତୃପ୍ତ ହୋଇ ଅନ୍ତଃକରଣରେ ଗର୍ବିତ ହେଲେ; ଏଥିପାଇଁ ସେମାନେ ଆମ୍ଭକୁ ପାସୋରିଅଛନ୍ତି।

7 ସେଥିପାଇଁ ଆମ୍ଭେ ସେମାନଙ୍କ ପ୍ରତି ସିଂହ ତୁଲ୍ୟ ହେବୁ; ଆମ୍ଭେ ଚିତାବାଘ ପରି ପଥ ପାର୍ଶ୍ୱରେ ଛକି ବସିବା;

8 ଆମ୍ଭେ ଛୁଆହରା ଭଲ୍ଲୁକୀ ପରି ସେମାନଙ୍କୁ ହାବୁଡ଼ିବା ଓ ସେମାନଙ୍କର ବକ୍ଷକୁ ବିଦୀର୍ଣ୍ଣ କରିବା; ଆଉ, ସିଂହ ନ୍ୟାୟ ଆମ୍ଭେ ସେଠାରେ ସେମାନଙ୍କୁ ଗ୍ରାସ କରିବା; ବନ୍ୟ ପଶୁ ସେମାନଙ୍କୁ ବିଦୀର୍ଣ୍ଣ କରିବ।

9 ହେ ଇସ୍ରାଏଲ, ତୁମ୍ଭେ ଯେ ଆମ୍ଭର ବିପକ୍ଷ, ତୁମ୍ଭ ସହାୟର ବିପକ୍ଷ ହୋଇଅଛ, ଏହା ତୁମ୍ଭର ସର୍ବନାଶର କାରଣ।

10 ତୁମ୍ଭର ନଗରସମୂହରେ ତୁମ୍ଭକୁ ରକ୍ଷା କରିବା ପାଇଁ ଏବେ ତୁମ୍ଭର ରାଜା କାହିଁ? “ମୋତେ ରାଜା ଓ ଅଧିପତିଗଣ ଦିଅ” ବୋଲି ଯେଉଁମାନଙ୍କ ବିଷୟରେ ତୁମ୍ଭେ କହିଲ, ତୁମ୍ଭର ସେହି ବିଚାରକର୍ତ୍ତାଗଣ କାହାନ୍ତି?

11 ଆମ୍ଭେ ଆପଣା କ୍ରୋଧରେ ତୁମ୍ଭକୁ ରାଜା ଦେଇଅଛୁ ଓ ଆପଣା କୋପରେ ତାହାକୁ ନେଇ ଯାଇଅଛୁ।

12 ଇଫ୍ରୟିମର ଅଧର୍ମ ବନ୍ଧାଯାଇଅଛି; ତାହାର ପାପ ସଞ୍ଚିତ ହୋଇଅଛି।

13 ପ୍ରସବକାରିଣୀ ସ୍ତ୍ରୀର ବେଦନା ତାହାକୁ ଆକ୍ରାନ୍ତ କରିବ; ସେ ଅଜ୍ଞାନ ଶିଶୁ; କାରଣ ଶିଶୁମାନଙ୍କର ପ୍ରସବ-ଦ୍ୱାରରେ ତାହାର ବିଳମ୍ବ କରି ରହିବାର ଉଚିତ ନୁହେଁ।

14 ଆମ୍ଭେ ପାତାଳର ପରାକ୍ରମରୁ ସେମାନଙ୍କୁ ଉଦ୍ଧାର କରିବା; ଆମ୍ଭେ ମୃତ୍ୟୁୁରୁ ସେମାନଙ୍କୁ ମୁକ୍ତ କରିବା; ହେ ମୃତ୍ୟୁୁ, ତୁମ୍ଭର ମହାମାରୀ କାହିଁ? ହେ ପାତାଳ, ତୁମ୍ଭର ସଂହାର କାହିଁ? ଅନୁତାପ ଆମ୍ଭ ଦୃଷ୍ଟିରୁ ଗୁପ୍ତ ରହିବ।

15 ଯଦ୍ୟପି ସେ ଆପଣା ଭ୍ରାତୃଗଣ ମଧ୍ୟରେ ଫଳବାନ ହୁଏ, ତଥାପି ପୂର୍ବୀୟ ବାୟୁ ସଦାପ୍ରଭୁଙ୍କର ଶ୍ୱାସ ପ୍ରାନ୍ତରରୁ ଆସିବ, ତହିଁରେ ତାହାର ନିର୍ଝର ଶୁଷ୍କ ହେବ ଓ ତାହାର ଜଳାକାର ଶୁଖିଯିବ; ସେ ତାହାର ଯାବତୀୟ ମନୋହର ପାତ୍ରର ଭଣ୍ଡାର ଲୁଟ କରିବେ।

16 ଶମରୀୟା ଆପଣା ଦୋଷର ଫଳ ଭୋଗ କରିବ; କାରଣ ସେ ଆପଣା ପରମେଶ୍ୱରଙ୍କର ବିଦ୍ରୋହାଚରଣ କରିଅଛି; ସେମାନେ ଖଡ୍ଗରେ ପତିତ ହେବେ; ସେମାନଙ୍କର ଶିଶୁମାନେ କଚଡ଼ା ଯାଇ ଖଣ୍ଡ ଖଣ୍ଡ ହେବେ; ସେମାନଙ୍କର ଗର୍ଭବତୀ ସ୍ତ୍ରୀମାନେ ଚିରାଯିବେ।

Everything we make is available for free because of a generous community of supporters.

Donate