Menu

ଯିଶାଇୟ 11

IRV

1 ଏଥିଉତ୍ତାରେ ଯିଶୀର ଗଣ୍ଡିରୁ ଏକ ପଲ୍ଲବ ନିର୍ଗତ ହେବ ଓ ତାହାର ମୂଳରୁ ଏକ ଶାଖା ଉତ୍ପନ୍ନ ହୋଇ ଫଳ ଫଳିବ;

2 ପୁଣି, ସଦାପ୍ରଭୁଙ୍କର ଆତ୍ମା, ଜ୍ଞାନ ଓ ବିବେଚନାର ଆତ୍ମା, ମନ୍ତ୍ରଣା ଓ ପରାକ୍ରମର ଆତ୍ମା, ବୁଦ୍ଧି ଓ ସଦାପ୍ରଭୁ ବିଷୟକ ଭୟର ଆତ୍ମା ତାହାଙ୍କଠାରେ ଅଧିଷ୍ଠାନ କରିବେ;

3 ସଦାପ୍ରଭୁ ବିଷୟକ ଭୟରେ ତାହାଙ୍କର ଆମୋଦ ହେବ; ପୁଣି, ସେ ଆପଣା ଚକ୍ଷୁର ଦୃଷ୍ଟି ଅନୁସାରେ ବିଚାର କରିବେ ନାହିଁ, କିଅବା ଆପଣା କର୍ଣ୍ଣପ୍ରାନ୍ତରେ ଶ୍ରବଣାନୁସାରେ ଅନୁଯୋଗ କରିବେ ନାହିଁ,

4 ମାତ୍ର ସେ ଧର୍ମରେ ଦୀନହୀନମାନଙ୍କ ବିଚାର କରିବେ ଓ ପୃଥିବୀସ୍ଥ ନମ୍ର ଲୋକମାନଙ୍କ ସକାଶେ ନ୍ୟାୟରେ ଅନୁଯୋଗ କରିବେ; ପୁଣି, ସେ ଆପଣା ମୁଖସ୍ଥିତ ଦଣ୍ଡ ଦ୍ୱାରା ପୃଥିବୀକୁ ଆଘାତ କରିବେ ଓ ଆପଣା ଓଷ୍ଠାଧରର ନିଃଶ୍ୱାସ ଦ୍ୱାରା ଦୁଷ୍ଟକୁ ସଂହାର କରିବେ।

5 ଧର୍ମ ତାହାଙ୍କ କଟିଦେଶର ପଟୁକା ଓ ବିଶ୍ୱସ୍ତତା ତାହାଙ୍କ କଟିର ପଟୁକା ହେବ।

6 ଆଉ, କେନ୍ଦୁଆ ବାଘ ମେଷଛୁଆ ସଙ୍ଗେ ବାସ କରିବ ଓ ଚିତାବାଘ ଛେଳିଛୁଆ ସଙ୍ଗେ ଶୟନ କରିବ; ବାଛୁରି, ଯୁବା ସିଂହ ଓ ହୃଷ୍ଟପୁଷ୍ଟ ପଶୁ ଏକତ୍ର ରହିବେ; ଆଉ, ଏକ ସାନ ପିଲା ସେମାନଙ୍କୁ ଅଡ଼ାଇବ।

7 ପୁଣି, ଗାଭୀ ଓ ଭଲ୍ଲୁକୀ ଚରିବେ; ସେମାନଙ୍କର ଛୁଆସବୁ ଏକତ୍ର ଶୟନ କରିବେ; ଆଉ, ସିଂହ ବଳଦ ପରି ନଡ଼ା ଖାଇବ।

8 ପୁଣି, ସ୍ତନ୍ୟପାୟୀ ଶିଶୁ କାଳସର୍ପର ଗର୍ତ୍ତ ଉପରେ ଖେଳିବ ଓ ତ୍ୟକ୍ତସ୍ତନ୍ୟ ବାଳକ କୃଷ୍ଣସର୍ପର ଗର୍ତ୍ତ ଉପରେ ହସ୍ତ ଥୋଇବ।

9 ସେମାନେ ଆମ୍ଭ ପବିତ୍ର ପର୍ବତର କୌଣସି ସ୍ଥାନରେ ହିଂସା କି ବିନାଶ କରିବେ ନାହିଁ; କାରଣ ସମୁଦ୍ର ଯେପରି ଜଳରେ ଆଚ୍ଛନ୍ନ, ପୃଥିବୀ ସେହିପରି ସଦାପ୍ରଭୁ ବିଷୟକ ଜ୍ଞାନରେ ପରିପୂର୍ଣ୍ଣ ହେବ।

10 ଆଉ, ସେହି ଦିନରେ ଗୋଷ୍ଠୀଗଣର ଧ୍ୱଜା ରୂପେ ସ୍ଥାପିତ ଯେ ଯିଶୀର ମୂଳ, ନାନା ଦେଶୀୟମାନେ ତାହାଙ୍କର ଅନ୍ଵେଷଣ କରିବେ; ଆଉ, ତାହାଙ୍କର ବିଶ୍ରାମ-ସ୍ଥାନ ଗୌରବାନ୍ୱିତ ହେବ।

11 ଆହୁରି, ସେହି ଦିନରେ ପ୍ରଭୁ ଆପଣା ଲୋକମାନଙ୍କର ଅବଶିଷ୍ଟାଂଶକୁ ଅଶୂରରୁ, ମିସରରୁ ଓ ପଥ୍ରୋଷରୁ, କୂଶରୁ, ଏଲମ୍‍, ଶିନୀୟରରୁ ଓ ହମାତରୁ ଓ ସମୁଦ୍ରର ଦ୍ୱୀପସମୂହରୁ ମୁକ୍ତ କରି ଆଣିବା ନିମନ୍ତେ ପୁନର୍ବାର ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ।

12 ପୁଣି, ସେ ଗୋଷ୍ଠୀବର୍ଗ ନିମନ୍ତେ ଗୋଟିଏ ଧ୍ୱଜା ଉଠାଇବେ ଓ ପୃଥିବୀର ଚତୁଷ୍କୋଣରୁ ଇସ୍ରାଏଲର ତାଡ଼ିତ ଲୋକମାନଙ୍କୁ ଏକତ୍ର କରିବେ ଓ ଯିହୁଦାର ଛିନ୍ନଭିନ୍ନ ଲୋକମାନଙ୍କୁ ସଂଗ୍ରହ କରିବେ।

13 ଆହୁରି, ଇଫ୍ରୟିମର ଈର୍ଷା ଦୂର ହେବ ଓ ଯିହୁଦାକୁ କ୍ଲେଶ ଦେବା ଲୋକମାନେ ଉଚ୍ଛିନ୍ନ ହେବେ; ଇଫ୍ରୟିମ ଯିହୁଦାକୁ ଈର୍ଷା କରିବ ନାହିଁ ଓ ଯିହୁଦା ଇଫ୍ରୟିମକୁ କ୍ଲେଶ ଦେବ ନାହିଁ।

14 ପୁଣି, ସେମାନେ ପଶ୍ଚିମ ଦିଗରେ ପଲେଷ୍ଟୀୟମାନଙ୍କ ସ୍କନ୍ଧ ଉପରେ ଝାମ୍ପ ମାରିବେ; ସେମାନେ ଏକତ୍ର ହୋଇ ପୂର୍ବଦେଶୀୟ ସନ୍ତାନଗଣର ଦ୍ରବ୍ୟ ଲୁଟିତ କରିବେ; ସେମାନେ ଇଦୋମ ଓ ମୋୟାବ ଉପରେ ହସ୍ତକ୍ଷେପ କରିବେ ଓ ଅମ୍ମୋନର ଲୋକମାନେ ସେମାନଙ୍କର ଆଜ୍ଞାବହ ହେବେ।

15 ପୁଣି, ସଦାପ୍ରଭୁ ମିସରୀୟ ସମୁଦ୍ରର ଜିହ୍ୱା ସମ୍ପୂର୍ଣ୍ଣ ରୂପେ ବିନାଶ କରିବେ ଓ ଆପଣାର ଉତ୍ତପ୍ତ ବାୟୁ ଦ୍ୱାରା ନଦୀ ଉପରେ ଆପଣା ହସ୍ତ ହଲାଇବେ, ଆଉ ତାହାକୁ ପ୍ରହାର କରି ସପ୍ତସ୍ରୋତ କରିବେ ଓ ଲୋକମାନଙ୍କୁ ଶୁଷ୍କ ପଦରେ ତହିଁ ମଧ୍ୟଦେଇ ଗମନ କରାଇବେ।

16 ପୁଣି, ଇସ୍ରାଏଲ ମିସର ଦେଶରୁ ବାହାର ହୋଇ ଆସିବା ବେଳେ ଯେପରି ତାହା ନିମନ୍ତେ ହୋଇଥିଲା, ସେହିପରି ତାହାଙ୍କ ଲୋକମାନଙ୍କ ଅବଶିଷ୍ଟାଂଶ ନିମନ୍ତେ, ଅର୍ଥାତ୍‍, ଅଶୂର ଦେଶରୁ ଅବଶିଷ୍ଟାଂଶ ଲୋକମାନଙ୍କ ନିମନ୍ତେ ଏକ ରାଜପଥ ହେବ।

Everything we make is available for free because of a generous community of supporters.

Donate