Menu

ଯିଶାଇୟ 29

IRV

1 ହାୟ ଅରୀୟେଲ, ଅରୀୟେଲ, ଦାଉଦର ଛାଉଣି ନଗର! ବର୍ଷକୁ ବର୍ଷ ଯୋଗ କର; ପର୍ବମାନ ପାଳି ଅନୁକ୍ରମେ ଆସୁ;

2 ତେବେ ଆମ୍ଭେ ଅରୀୟେଲ ପ୍ରତି ଦୁଃଖ ଘଟାଇବା, ତହୁଁ ଶୋକ ଓ ବିଳାପ ହେବ ଓ ତାହା ଆମ୍ଭ ପ୍ରତି ଅରୀୟେଲ (ଦାହସ୍ଥାନ) ତୁଲ୍ୟ ହେବ।

3 ପୁଣି, ଆମ୍ଭେ ଚତୁର୍ଦ୍ଦିଗରେ ତୁମ୍ଭ ବିରୁଦ୍ଧରେ ଛାଉଣି ସ୍ଥାପନ କରିବା ଓ ଗଡ଼ବନ୍ଦୀ କରି ତୁମ୍ଭକୁ ବେଷ୍ଟନ କରିବା ଓ ତୁମ୍ଭ ପ୍ରତିକୂଳରେ ଅବରୋଧକ ଉପାୟ ପ୍ରସ୍ତୁତ କରିବା।

4 ତହିଁରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ ଓ ଧୂଳିରୁ ତୁମ୍ଭର କଥା କ୍ଷୀଣ ସ୍ୱରଯୁକ୍ତ ହେବ; ଆଉ, ଭୂତୁଡ଼ିଆର ନ୍ୟାୟ ତୁମ୍ଭର ରବ ଭୂମିରୁ ବାହାରିବ ଓ ଧୂଳିରୁ ତୁମ୍ଭ କଥାର ଫୁସ୍‍ ଫୁସ୍‍ ଶବ୍ଦ ଉଠିବ।

5 ମାତ୍ର ତୁମ୍ଭ ଶତ୍ରୁଗଣର ଲୋକସମୂହ ସୂକ୍ଷ୍ମ ଧୂଳିର ନ୍ୟାୟ ହେବ ଓ ଭୟଙ୍କରମାନଙ୍କର ଲୋକସମୂହ ଉଡ଼ିଯିବା ତୁଷ ପରି ହେବ; ଏକ ନିମିଷରେ ହଠାତ୍‍ ଏହା ଘଟିବ।

6 ସୈନ୍ୟାଧିପତି ସଦାପ୍ରଭୁ ମେଘ ଗର୍ଜ୍ଜନ, ଭୂମିକମ୍ପ, ମହାଶବ୍ଦ, ଘୂର୍ଣ୍ଣିବାୟୁ, ଝଡ଼ ଓ ଗ୍ରାସକାରୀ ଅଗ୍ନିଶିଖା ସହିତ ତାହାର ତତ୍ତ୍ୱ ନେବେ।

7 ପୁଣି, ସର୍ବଗୋଷ୍ଠୀୟ ଯେଉଁ ଲୋକସମୂହ ଅରୀୟେଲ ବିରୁଦ୍ଧରେ ଯୁଦ୍ଧ କରନ୍ତି, ଅର୍ଥାତ୍‍, ଯେଉଁମାନେ ତାହାର ଓ ତାହାର ଦୃଢ଼ ଦୁର୍ଗ ପ୍ରତିକୂଳରେ ଯୁଦ୍ଧ କରି ତାହାକୁ ସଙ୍କଟାପନ୍ନ କରନ୍ତି, ସେସମସ୍ତେ ସ୍ୱପ୍ନ ତୁଲ୍ୟ, ରାତ୍ରିକାଳୀନ ଦର୍ଶନ ତୁଲ୍ୟ ହେବେ।

8 ଆଉ, ଯେପରି କ୍ଷୁଧିତ ଲୋକ ସ୍ୱପ୍ନରେ ଭୋଜନ କରୁଅଛି ବୋଲି ଦେଖେ, ମାତ୍ର ଜାଗ୍ରତ ହେଲେ, ତାହାର ପ୍ରାଣ ଶୂନ୍ୟ ଥାଏ; ଅବା ଯେପରି ତୃଷିତ ଲୋକ ଜଳ ପାନ କରୁଅଛି ବୋଲି ସ୍ୱପ୍ନରେ ଦେଖେ, ମାତ୍ର ଜାଗ୍ରତ ହେଲେ ଦେଖ, ସେ ଦୁର୍ବଳ ଥାଏ ଓ ତାହାର ପ୍ରାଣ ତୃଷିତ ଥାଏ, ସିୟୋନ ପର୍ବତର ପ୍ରତିକୂଳରେ ଯୁଦ୍ଧକାରୀ ସର୍ବଗୋଷ୍ଠୀୟ ଲୋକସମୂହ ସେହିପରି ହେବେ।

9 ତୁମ୍ଭେମାନେ ସ୍ଥଗିତ ଓ ଚମତ୍କୃତ ହୁଅ; ଆମୋଦ କରି ଅନ୍ଧ ହୁଅ; ସେମାନେ ମତ୍ତ ଅଛନ୍ତି, ମାତ୍ର ଦ୍ରାକ୍ଷାରସରେ ନୁହେଁ; ସେମାନେ ଟଳଟଳ ହୁଅନ୍ତି, ମାତ୍ର ସୁରାପାନରେ ନୁହେଁ।

10 କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଉପରେ ଘୋର ନିଦ୍ରାଜନକ ଆତ୍ମା ଢାଳିଅଛନ୍ତି ଓ ତୁମ୍ଭମାନଙ୍କର ଭବିଷ୍ୟଦ୍‍ବକ୍ତାଗଣରୂପ ଚକ୍ଷୁ ମୁଦ୍ରିତ କରିଅଛନ୍ତି ଓ ଦର୍ଶକଗଣ ସ୍ୱରୂପ ତୁମ୍ଭମାନଙ୍କର ମସ୍ତକ ସେ ଆଚ୍ଛାଦିତ କରିଅଛନ୍ତି।

11 ପୁଣି, ଯାବତୀୟ ଦର୍ଶନ ତୁମ୍ଭମାନଙ୍କର ପ୍ରତି ମୁଦ୍ରାଙ୍କବଦ୍ଧ ପୁସ୍ତକର ବାକ୍ୟ ତୁଲ୍ୟ ହୋଇଅଛି, କେହି ଶିକ୍ଷିତ ଲୋକକୁ ତାହା ଦେଇ ଅନୁଗ୍ରହ କରି “ଏହା ପାଠ କର” କହିଲେ, ସେ କହେ, “ଏହା ମୁଦ୍ରାଙ୍କବଦ୍ଧ, ଏଣୁ ମୁଁ ପାଠ କରି ନ ପାରେ।”

12 ଆଉ, ସେହି ପୁସ୍ତକ ଅଶିକ୍ଷିତ ଲୋକକୁ ଦେଇ, ଅନୁଗ୍ରହ କରି “ଏହା ପାଠ କର” କହିଲେ, ସେ କହେ, “ମୁଁ ଶିକ୍ଷିତ ଲୋକ ନୁହେଁ।”

13 ଆହୁରି, ପ୍ରଭୁ କହିଲେ, “ଏହି ଲୋକମାନେ ଆମ୍ଭର ନିକଟବର୍ତ୍ତୀ ହୁଅନ୍ତି ଓ ସେମାନେ ଆପଣା ଆପଣା ମୁଖରେ ଓ ଓଷ୍ଠାଧରରେ ଆମ୍ଭର ସମ୍ମାନ କରନ୍ତି, ମାତ୍ର ସେମାନେ ଆପଣା ଆପଣା ଅନ୍ତଃକରଣ ଆମ୍ଭଠାରୁ ଦୂରରେ ରଖିଅଛନ୍ତି ଓ ଆମ୍ଭ ବିଷୟକ ସେମାନଙ୍କର ଯେଉଁ ଭୟ, ତାହା ମନୁଷ୍ୟଠାରୁ ଶିକ୍ଷିତ ଆଜ୍ଞା ଅଟେ।

14 ଏହେତୁ ଦେଖ, ଆମ୍ଭେ ଏହି ଲୋକମାନଙ୍କ ମଧ୍ୟରେ ଏକ ଅଦ୍ଭୁତ କର୍ମ, ଅର୍ଥାତ୍‍, ଅଦ୍ଭୁତ ଓ ଆଶ୍ଚର୍ଯ୍ୟକର୍ମ କରିବା, ପୁଣି, ସେମାନଙ୍କର ଜ୍ଞାନୀ ଲୋକମାନଙ୍କର ଜ୍ଞାନ ବିନଷ୍ଟ ହେବ ଓ ସେମାନଙ୍କର ବିବେକୀ ଲୋକମାନଙ୍କର ବୁଦ୍ଧି ଲୁଚାଯିବ।”

15 ଯେଉଁମାନେ ସଦାପ୍ରଭୁଙ୍କଠାରୁ ଆପଣା ଆପଣା ମନ୍ତ୍ରଣା ଗୁପ୍ତ କରିବାକୁ ଅତିଶୟ ଚେଷ୍ଟା କରନ୍ତି, ସେମାନେ ସନ୍ତାପର ପାତ୍ର! ଆଉ, ସେମାନେ ଅନ୍ଧକାରରେ ଆପଣା ଆପଣା କର୍ମ କରି କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖୁଅଛି? ଓ ଆମ୍ଭମାନଙ୍କୁ କିଏ ଚିହ୍ନୁଅଛି?”

16 ତୁମ୍ଭେମାନେ ବିଷୟକୁ ଓଲଟାଇ ପକାଉଅଛ! କୁମ୍ଭକାର କି ମାଟିର ତୁଲ୍ୟ ଗଣ୍ୟ ହେବ; “ଏ ବ୍ୟକ୍ତି ଆମ୍ଭକୁ ନିର୍ମାଣ କରି ନାହିଁ,” ନିର୍ମିତ ବସ୍ତୁ କି ନିର୍ମାଣକର୍ତ୍ତା ବିଷୟରେ ଏହା କହିବ? କିମ୍ବା “ତାହାର କିଛି ବୁଦ୍ଧି ନାହିଁ, ଗଢ଼ା ବସ୍ତୁ କି ଗଢ଼ିବା ବ୍ୟକ୍ତି ବିଷୟରେ ଏହା କହିବ?”

17 ଅତି ଅଳ୍ପ କାଳ ଉତ୍ତାରେ ଲିବାନୋନ କି ଫଳବାନ କ୍ଷେତ୍ରରେ ପରିଣତ ହେବ ନାହିଁ ଓ ଫଳବାନ କ୍ଷେତ୍ର କି ଅରଣ୍ୟ ବୋଲି ଗଣ୍ୟ ହେବ ନାହିଁ?

18 ପୁଣି, ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ, ପୁଣି, ତିମିର ଓ ଅନ୍ଧକାର ମଧ୍ୟରୁ ଅନ୍ଧର ଚକ୍ଷୁ ଦେଖିବ।

19 ମଧ୍ୟ ନମ୍ର ଲୋକମାନେ ସଦାପ୍ରଭୁଙ୍କଠାରେ ଆପଣା ଆପଣା ଆନନ୍ଦ ବଢ଼ାଇବେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଦରିଦ୍ରମାନେ ଇସ୍ରାଏଲର ଧର୍ମସ୍ୱରୂପଙ୍କଠାରେ ଉଲ୍ଲାସ କରିବେ।

20 କାରଣ ଭୟଙ୍କର ଲୋକ ଅକିଞ୍ଚନା ହୋଇଅଛି, ନିନ୍ଦକ ନିବୃତ୍ତ ହେଉଅଛି ଓ ଯେଉଁମାନେ ଅଧର୍ମ ପାଇଁ ଜଗି ରହନ୍ତି, ସେସମସ୍ତେ ଉଚ୍ଛିନ୍ନ ହୋଇଅଛନ୍ତି;

21 ସେମାନେ କଥାରେ ମନୁଷ୍ୟକୁ ଦୋଷୀ କରନ୍ତି ଓ ନଗର-ଦ୍ୱାରରେ ଦୋଷବକ୍ତା ନିମନ୍ତେ ଫାନ୍ଦ ପାତନ୍ତି ଓ ଅକାରଣରେ ଧାର୍ମିକ ପ୍ରତି ଅନ୍ୟାୟ କରନ୍ତି।

22 ଏହେତୁ ଅବ୍ରହାମର ମୁକ୍ତିକର୍ତ୍ତା ସଦାପ୍ରଭୁ ଯାକୁବ ବଂଶ ବିଷୟରେ ଏହିପରି କହନ୍ତି; “ଯାକୁବ ଏବେ ଲଜ୍ଜିତ ହେବ ନାହିଁ, କିଅବା ତାହାର ମୁଖ ମଳିନ ହେବ ନାହିଁ।

23 ମାତ୍ର ଯେତେବେଳେ ସେ ଆମ୍ଭର ହସ୍ତକୃତ କର୍ମ ସ୍ୱରୂପ ତାହାର ସନ୍ତାନଗଣକୁ ଆପଣା ମଧ୍ୟରେ ଦେଖିବ, ସେତେବେଳେ ସେମାନେ ଆମ୍ଭ ନାମକୁ ପବିତ୍ର କରି ମାନିବେ; ହଁ, ସେମାନେ ଯାକୁବର ଧର୍ମସ୍ୱରୂପଙ୍କୁ ପବିତ୍ର ବୋଲି ମାନିବେ ଓ ଇସ୍ରାଏଲର ପରମେଶ୍ୱରଙ୍କୁ ସମ୍ଭ୍ରମ କରିବେ।

24 ଯେଉଁମାନେ ଭ୍ରାନ୍ତମନା, ସେମାନେ ମଧ୍ୟ ବୁଦ୍ଧି ପ୍ରାପ୍ତ ହେବେ ଓ ବଚସାକାରୀମାନେ ତତ୍ତ୍ୱ-କଥା ଶିଖିବେ।”

Everything we make is available for free because of a generous community of supporters.

Donate