Menu

ଯିଶାଇୟ 64

IRV

1 ଆହା, ଅନ୍ୟ ଦେଶୀୟମାନେ ଯେପରି ତୁମ୍ଭ ସାକ୍ଷାତରେ କମ୍ପମାନ ହେବେ, ଏଥିପାଇଁ ତୁମ୍ଭ ବିପକ୍ଷଗଣକୁ ତୁମ୍ଭ ନାମ ଜ୍ଞାତ କରାଇବା ନିମନ୍ତେ,

2 ଅଗ୍ନି ଝାଟି ଜ୍ୱଳାଇବା ପରି, ଅଗ୍ନି ଜଳ ଫୁଟାଇବା ପରି ଯଦି ତୁମ୍ଭେ ଆକାଶମଣ୍ଡଳ ବିଦୀର୍ଣ୍ଣ କରି ଓହ୍ଲାଇ ଆସନ୍ତ ଓ ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହୁଅନ୍ତେ!

3 ଯେତେବେଳେ ତୁମ୍ଭେ ଆମ୍ଭମାନଙ୍କର ଅନପେକ୍ଷିତ ଭୟାନକ କ୍ରିୟା କଲ, ସେତେବେଳେ ତୁମ୍ଭେ ଓହ୍ଲାଇ ଆସିଲ, ପର୍ବତଗଣ ତୁମ୍ଭ ସାକ୍ଷାତରେ ପ୍ରବାହିତ ହେଲେ।

4 କାରଣ ଯେ ଆପଣା ଅପେକ୍ଷାକାରୀ ପକ୍ଷରେ କାର୍ଯ୍ୟ ସାଧନ କରନ୍ତି, ଲୋକେ ପ୍ରାଚୀନ କାଳରୁ ତୁମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ବିଷୟ ଶୁଣି ନାହାନ୍ତି, ଅଥବା କର୍ଣ୍ଣ ଜ୍ଞାତ ହୋଇ ନାହିଁ, କିଅବା ଚକ୍ଷୁ ଦେଖି ନାହିଁ।

5 ଯେଉଁ ଲୋକ ଆନନ୍ଦରେ ଧର୍ମାଚରଣ କରେ, ଯେଉଁମାନେ ତୁମ୍ଭ ପଥରେ ତୁମ୍ଭକୁ ସ୍ମରଣ କରନ୍ତି, ତୁମ୍ଭେ ସେମାନଙ୍କ ସହିତ ସାକ୍ଷାତ କରିଥାଅ; ଦେଖ, ତୁମ୍ଭେ କ୍ରୁଦ୍ଧ ଥିଲ ଓ ଆମ୍ଭେମାନେ ପାପ କଲୁ; ଆମ୍ଭେମାନେ ଦୀର୍ଘ କାଳ ତହିଁରେ ରହିଅଛୁ, ଆମ୍ଭେମାନେ କି ପରିତ୍ରାଣ ପାଇବା?

6 କାରଣ ଆମ୍ଭେ ସମସ୍ତେ ଅଶୁଚି ଲୋକ ତୁଲ୍ୟ ହୋଇଅଛୁ ଓ ଆମ୍ଭମାନଙ୍କର ଧର୍ମକର୍ମସବୁ ଅଶୁଚି ବସ୍ତ୍ର ତୁଲ୍ୟ ଅଟେ ଓ ଆମ୍ଭେ ସମସ୍ତେ ପତ୍ର ତୁଲ୍ୟ ଜୀର୍ଣ୍ଣ ହେଉଅଛୁ; ଆଉ, ଆମ୍ଭମାନଙ୍କର ଅପରାଧସବୁ ବାୟୁ ପରି ଆମ୍ଭମାନଙ୍କୁ ଉଡ଼ାଇ ନିଏ।

7 ପୁଣି, ଯେ ତୁମ୍ଭ ନାମରେ ପ୍ରାର୍ଥନା କରେ, ଯେ ତୁମ୍ଭକୁ ଧରିବା ପାଇଁ ଆପଣାକୁ ଉତ୍ତେଜିତ କରେ, ଏପରି କେହି ନାହିଁ; କାରଣ ତୁମ୍ଭେ ଆମ୍ଭମାନଙ୍କଠାରୁ ଆପଣା ମୁଖ ଲୁଚାଇଅଛ ଓ ଆମ୍ଭମାନଙ୍କର ଅପରାଧ ଦ୍ୱାରା ଆମ୍ଭମାନଙ୍କୁ କ୍ଷୟ କରିଅଛ।

8 ମାତ୍ର ଏବେ ହେ ସଦାପ୍ରଭୁ, ତୁମ୍ଭେ ଆମ୍ଭମାନଙ୍କର ପିତା ଅଟ; ଆମ୍ଭେମାନେ ମୃତ୍ତିକା, ତୁମ୍ଭେ ଆମ୍ଭମାନଙ୍କର କୁମ୍ଭକାର; ପୁଣି, ଆମ୍ଭେ ସମସ୍ତେ ତୁମ୍ଭର ହସ୍ତକୃତ କର୍ମ।

9 ହେ ସଦାପ୍ରଭୋ, ଅତ୍ୟନ୍ତ କ୍ରୁଦ୍ଧ ହୁଅ ନାହିଁ, କିଅବା ଚିରକାଳ ଅପରାଧ ମନରେ ରଖ ନାହିଁ; ଆମ୍ଭେମାନେ ବିନତି କରୁ, ଦେଖ, ଦୃଷ୍ଟି କର, ଆମ୍ଭେ ସମସ୍ତେ ତୁମ୍ଭର ଲୋକ।

10 ତୁମ୍ଭର ପବିତ୍ର ନଗରସବୁ ପ୍ରାନ୍ତର ହୋଇଅଛି, ସିୟୋନ ପ୍ରାନ୍ତର ହୋଇଅଛି, ଯିରୂଶାଲମ ଧ୍ୱଂସସ୍ଥାନ ହୋଇଅଛି।

11 ଆମ୍ଭମାନଙ୍କର ପିତୃଲୋକମାନେ ଯେଉଁ ସ୍ଥାନରେ ତୁମ୍ଭର ପ୍ରଶଂସା କଲେ, ଆମ୍ଭମାନଙ୍କର ସେହି ପବିତ୍ର ଓ ସୁନ୍ଦର ଗୃହ ଅଗ୍ନିରେ ଦଗ୍ଧ ହୋଇଅଛି ଓ ଆମ୍ଭମାନଙ୍କର ମନୋରମ୍ୟ ବିଷୟସବୁ ଉଚ୍ଛିନ୍ନ ହୋଇଅଛି।

12 ହେ ସଦାପ୍ରଭୁ, ଏହିସବୁ ହେଲେ ହେଁ ତୁମ୍ଭେ କି ଆପଣାକୁ କ୍ଷାନ୍ତ କରି ରଖିବ? ତୁମ୍ଭେ କି ତୁନି ହୋଇ ରହି ଆମ୍ଭମାନଙ୍କୁ ଅତ୍ୟନ୍ତ କ୍ଲେଶ ଦେବ?

Everything we make is available for free because of a generous community of supporters.

Donate