Menu

ବିଚାରକର୍ତ୍ତା 3

IRV

1 ଇସ୍ରାଏଲ ମଧ୍ୟରେ ଯେଉଁମାନେ କିଣାନ ଦେଶୀୟ ଯୁଦ୍ଧସକଳ ଜାଣି ନ ଥିଲେ, ସେହି ଲୋକମାନଙ୍କୁ ପରୀକ୍ଷା କରିବା ନିମନ୍ତେ

2 ଓ ଇସ୍ରାଏଲ-ସନ୍ତାନଗଣର ପୁରୁଷ-ପରମ୍ପରାକୁ ଶିକ୍ଷା ଦେବା ନିମନ୍ତେ, ଅର୍ଥାତ୍‍, ଯେଉଁମାନେ ଆଗେ ଯୁଦ୍ଧ ଜାଣି ନ ଥିଲେ, ସେମାନଙ୍କୁ ତାହା ଶିଖାଇବା ପାଇଁ ସଦାପ୍ରଭୁ ଏହି ଗୋଷ୍ଠୀୟ ଲୋକମାନଙ୍କୁ ଅବଶିଷ୍ଟ ରଖିଲେ, ଯଥା,

3 ପଲେଷ୍ଟୀୟମାନଙ୍କ ପାଞ୍ଚ ଅଧିପତି, ପୁଣି ବାଲ୍‍-ହର୍ମୋନ୍‍ ପର୍ବତଠାରୁ ହମାତରେ ପ୍ରବେଶ କରିବା ପଥ ପର୍ଯ୍ୟନ୍ତ ଲିବାନୋନ ପର୍ବତ ନିବାସୀ ସମସ୍ତ କିଣାନୀୟ ଓ ସୀଦୋନୀୟ ଓ ହିବ୍ବୀୟ ଲୋକ।

4 ଏମାନଙ୍କ ଦ୍ୱାରା ଇସ୍ରାଏଲକୁ ପରୀକ୍ଷା କରିବା ନିମନ୍ତେ, ଅର୍ଥାତ୍‍, ସଦାପ୍ରଭୁ ସେମାନଙ୍କ ପିତୃଲୋକଙ୍କୁ ମୋଶାଙ୍କ ଦ୍ୱାରା ଯେ ଯେ ଆଜ୍ଞା ଆଦେଶ କରିଥିଲେ, ତାହାସବୁ ସେମାନେ ଶୁଣିବେ କି ନାହିଁ, ଏହା ଜାଣିବା ନିମନ୍ତେ, ଅବଶିଷ୍ଟ ରଖାଗଲେ।

5 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ହିତ୍ତୀୟ ଓ ଇମୋରୀୟ ଓ ପରିଷୀୟ ଓ ହିବ୍ବୀୟ ଓ ଯିବୂଷୀୟ ଓ କିଣାନୀୟ ଲୋକମାନଙ୍କ ମଧ୍ୟରେ ବାସ କଲେ।

6 ପୁଣି ସେମାନେ ସେମାନଙ୍କ କନ୍ୟାଗଣଙ୍କୁ ଆପଣାମାନଙ୍କର ଭାର୍ଯ୍ୟା ରୂପେ ଗ୍ରହଣ କଲେ ଓ ଆପଣା ଆପଣା କନ୍ୟାମାନଙ୍କୁ ସେମାନଙ୍କ ପୁତ୍ରଗଣଙ୍କୁ ବିବାହ କରିବା ନିମନ୍ତେ ଦେଲେ, ଆଉ ସେମାନଙ୍କ ଦେବତାମାନଙ୍କର ସେବା କଲେ।

7 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା କଲେ ଓ ସଦାପ୍ରଭୁ ସେମାନଙ୍କ ପରମେଶ୍ୱରଙ୍କୁ ପାସୋରି ବାଲ୍‍ ଦେବଗଣର ଓ ଆଶେରା ଦେବୀଗଣର ସେବା କଲେ।

8 ତହିଁରେ ଇସ୍ରାଏଲ ପ୍ରତି ସଦାପ୍ରଭୁଙ୍କର କ୍ରୋଧ ପ୍ରଜ୍ୱଳିତ ହୁଅନ୍ତେ, ସେ ଅରାମନହରୟିମ୍‍ର ରାଜା କୂଶନ୍-ରିଶୀୟାଥୟିମ୍‍ର ହସ୍ତରେ ସେମାନଙ୍କୁ ବିକ୍ରୟ କଲେ; ତହୁଁ ଇସ୍ରାଏଲ-ସନ୍ତାନଗଣ ଆଠ ବର୍ଷ ପର୍ଯ୍ୟନ୍ତ ସେହି କୂଶନ୍‍-ରିଶୀୟାଥୟିମ୍‍ର ସେବା କଲେ।

9 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ଇସ୍ରାଏଲ-ସନ୍ତାନଗଣ ପାଇଁ କାଲେବଙ୍କର କନିଷ୍ଠ ଭ୍ରାତା କନସର ପୁତ୍ର ଅତ୍ନୀୟେଲଙ୍କୁ ଉଦ୍ଧାରକର୍ତ୍ତା ରୂପେ ଉତ୍ଥାପନ କଲେ ଓ ସେ ସେମାନଙ୍କୁ ଉଦ୍ଧାର କଲେ।

10 ପୁଣି ସଦାପ୍ରଭୁଙ୍କର ଆତ୍ମା ତାଙ୍କଠାରେ ଅଧିଷ୍ଠିତ ହୁଅନ୍ତେ, ସେ ଇସ୍ରାଏଲର ବିଚାର କଲେ ଓ ସେ ଯୁଦ୍ଧ କରିବା ନିମନ୍ତେ ବାହାରିଲେ, ଆଉ ସଦାପ୍ରଭୁ ସେହି ଅରାମୀୟ ରାଜା କୂଶନ୍‍-ରିଶୀୟାଥୟିମ୍‍କୁ ତାହା ହସ୍ତରେ ସମର୍ପଣ କଲେ; ପୁଣି କୂଶନ୍‍-ରିଶୀୟାଥୟିମ୍‍ ଉପରେ ତାହାର ହସ୍ତ ପ୍ରବଳ ହେଲା।

11 ତହିଁରେ ଚାଳିଶ ବର୍ଷ ପର୍ଯ୍ୟନ୍ତ ଦେଶ ବିଶ୍ରାମ ପାଇଲା। ଏଉତ୍ତାରେ କନସର ପୁତ୍ର ଅତ୍ନୀୟେଲ ମଲା।

12 ଏଥିଉତ୍ତାରେ ଇସ୍ରାଏଲ-ସନ୍ତାନଗଣ, ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ପୁନର୍ବାର କଲେ; ଏହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ଯାହା ମନ୍ଦ, ତାହା ସେମାନେ କରିବାରୁ ସଦାପ୍ରଭୁ ଇସ୍ରାଏଲ ବିରୁଦ୍ଧରେ ମୋୟାବର ରାଜା ଇଗ୍ଲୋନକୁ ସବଳ କଲେ।

13 ତହୁଁ ସେ ଅମ୍ମୋନ ଓ ଅମାଲେକ-ସନ୍ତାନଗଣକୁ ଆପଣା ନିକଟରେ ଏକତ୍ର କଲା ଓ ସେ ଯାଇ ଇସ୍ରାଏଲକୁ ଆଘାତ କରି ଖର୍ଜ୍ଜୁରପୁର ଅଧିକାର କଲା।

14 ତହିଁରେ ଇସ୍ରାଏଲ-ସନ୍ତାନଗଣ ଅଠର ବର୍ଷ ପର୍ଯ୍ୟନ୍ତ ମୋୟାବୀୟ ରାଜା ଇଗ୍ଲୋନର ସେବା କଲେ।

15 ତହୁଁ ଇସ୍ରାଏଲ-ସନ୍ତାନଗଣ ସଦାପ୍ରଭୁଙ୍କ ନିକଟରେ କ୍ରନ୍ଦନ କରନ୍ତେ, ସଦାପ୍ରଭୁ ସେମାନଙ୍କ ପାଇଁ ଉଦ୍ଧାରକର୍ତ୍ତା ରୂପେ ବିନ୍ୟାମୀନ୍ ବଂଶୀୟ ଗେରାର ପୁତ୍ର ଏହୂଦକୁ ଉତ୍ପନ୍ନ କଲେ, ସେ ବାଁହାତିଆ ଥିଲେ। ପୁଣି ଇସ୍ରାଏଲ-ସନ୍ତାନଗଣ ତାହା ଦ୍ୱାରା ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ଭେଟି ପଠାଇଲେ।

16 ତହିଁରେ ଏହୂଦ ଆପଣା ନିମନ୍ତେ ଏକ ହସ୍ତ ଦୀର୍ଘ ଦ୍ୱିଧାର ଖଡ୍ଗ ନିର୍ମାଣ କରାଇ ଆପଣା ଦକ୍ଷିଣ ଜଙ୍ଘରେ ବସ୍ତ୍ର ଭିତରେ ବାନ୍ଧିଲେ।

17 ତହୁଁ ସେ ମୋୟାବୀୟ ରାଜା ଇଗ୍ଲୋନ ନିକଟକୁ ସେହି ଭେଟି ନେଲେ; ସେହି ଇଗ୍ଲୋନ ଏକ ମୋଟା ଲୋକ ଥିଲା।

18 ଆଉ ସେ ଭେଟି ଦେଇ ସାରିଲା ଉତ୍ତାରେ ଭେଟି ଦ୍ରବ୍ୟବାହକ ଲୋକମାନଙ୍କୁ ପଠାଇଦେଲେ।

19 ମାତ୍ର ସେ ଆପେ ଗିଲ୍‍ଗଲ୍‍ସ୍ଥ ପଥରଖଣିଠାରୁ ବାହୁଡ଼ି ଆସି କହିଲେ, ହେ ରାଜନ୍‍, “ମୁଁ ଆପଣଙ୍କ ପାଇଁ ଏକ ଗୁପ୍ତ ଖବର ଆଣିଛି।” ତେବେ ରାଜା କହିଲା, “ତୁନି ହୋଇଥାଅ।” ତହୁଁ ତାହା ନିକଟରେ ଠିଆ ହେବାର ସମସ୍ତ ଲୋକ ତାହା ଛାମୁରୁ ବାହାରିଗଲେ।

20 ଏଥିରେ ଏହୂଦ ତାହା ନିକଟକୁ ଗଲେ; ସେତେବେଳେ ସେ ଆପଣା ଗ୍ରୀଷ୍ମକାଳୀନ ଉପର ମହଲାରେ ଏକାକୀ ବସିଥିଲା। ତହିଁରେ ଏହୂଦ କହିଲେ, “ଆପଣଙ୍କ ପାଇଁ ପରମେଶ୍ୱରଙ୍କଠାରୁ ଆମ୍ଭର ଏକ କଥା ଅଛି;” ତହୁଁ ସେ ଆପଣା ସିଂହାସନରୁ ଉଠିଲା।

21 ତେବେ ଏହୂଦ ଆପଣା ବାମ ହସ୍ତ ବଢ଼ାଇ ଦକ୍ଷିଣ ଜଙ୍ଘରୁ ଖଡ୍ଗ ନେଇ ତାହାର ପେଟ ଭୁସିଲେ;

22 ତହିଁରେ ଖଡ୍ଗ ସହିତ ମୁଠା ମଧ୍ୟ ପଶିଗଲା, ଆଉ ଖଡ୍ଗ ଚର୍ବିରେ ଲାଖି ରହିବାରୁ ସେ ତାହା ପେଟରୁ ବାହାର କଲେ ନାହିଁ ଓ ଖଡ୍ଗ ପଛଭାଗରେ ବାହାରିଲା।

23 ଏଉତ୍ତାରେ ଏହୂଦ ତାହାକୁ ରୁଦ୍ଧକରଣାର୍ଥେ ସେହି ଉପର ମହଲାର କବାଟ ବନ୍ଦ କରି ଅର୍ଗଳ ଲଗାଇ ପାବଚ୍ଛ ପଥ ଆଡ଼କୁ ବାହାରିଗଲେ।

24 ସେ ବାହାରିଗଲା ଉତ୍ତାରେ ରାଜାର ଦାସମାନେ ଆସିଲେ ଓ ସେମାନେ ଦେଖିଲେ ଯେ, ଦେଖ, ସେହି ଉପର ମହଲାର କବାଟ ଅର୍ଗଳ-ବଦ୍ଧ ହୋଇଅଛି; ଏଥିରେ ସେମାନେ କହିଲେ, “ସେ ଅବଶ୍ୟ ଆପଣା ଗ୍ରୀଷ୍ମକାଳୀନ ଭିତର କୋଠରିରେ ଆପଣା ପାଦ ଢାଙ୍କୁ ଅଛନ୍ତି।”

25 ତହୁଁ ସେମାନେ ଲଜ୍ଜିତ ହେବା ପର୍ଯ୍ୟନ୍ତ ଅପେକ୍ଷା କଲେ; ମାତ୍ର ଦେଖ, ସେ ଉପର ମହଲାର କବାଟ ଫିଟାଇଲା ନାହିଁ; ଏହେତୁ ସେମାନେ କଞ୍ଚିକାଠି ନେଇ କବାଟ ଫିଟାଇଲେ; ତହିଁରେ ଦେଖ, ସେମାନଙ୍କର ପ୍ରଭୁ ମରି ଭୂମିରେ ପଡ଼ିଅଛି।

26 ମାତ୍ର ସେମାନେ ବିଳମ୍ବ କରି ରହିବା ବେଳେ ଏହୂଦ ପଳାଇ ସେହି ପଥର ଖଣି ପାର ହୋଇ ସିୟୀରାକୁ ଚାଲିଗଲେ।

27 ପୁଣି ସେ ସେହି ସ୍ଥାନରେ ପହୁଞ୍ଚି ଇଫ୍ରୟିମ-ପର୍ବତମୟ ଦେଶରେ ତୂରୀ ବଜାଇଲେ, ତହିଁରେ ଇସ୍ରାଏଲ-ସନ୍ତାନଗଣ ତାଙ୍କ ସହିତ ପର୍ବତମୟ ଦେଶରୁ ଆସନ୍ତେ, ସେ ସେମାନଙ୍କର ଅଗ୍ରଗାମୀ ହୋଇ ଚାଲିଲେ।

28 ପୁଣି ସେ ସେମାନଙ୍କୁ କହିଲେ, “ମୋʼ ପଛେ ପଛେ ଆସ; କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ଶତ୍ରୁ ମୋୟାବୀୟମାନଙ୍କୁ ତୁମ୍ଭମାନଙ୍କ ହସ୍ତରେ ସମର୍ପଣ କରିଅଛନ୍ତି।” ତହୁଁ ସେମାନେ ତାଙ୍କ ପଛେ ପଛେ ଚାଲି ମୋୟାବୀୟମାନଙ୍କ ବିରୁଦ୍ଧରେ ଯର୍ଦ୍ଦନ ଘାଟମାନ ହସ୍ତଗତ କରି କୌଣସି ଲୋକକୁ ପାର ହେବାକୁ ଦେଲେ ନାହିଁ।

29 ସେତେବେଳେ ସେମାନେ ମୋୟାବର ଊଣାଧିକ ଦଶ ହଜାର ଲୋକଙ୍କୁ ବଧ କଲେ, ପ୍ରତ୍ୟେକେ ବୃହତକାୟ ଓ ବିକ୍ରମଶାଳୀ ଲୋକ ଥିଲା; କେହି ପଳାଇ ପାରିଲା ନାହିଁ।

30 ଏହିରୂପେ ମୋୟାବ ସେହି ଦିନ ଇସ୍ରାଏଲ ହସ୍ତାଧୀନରେ ବଶୀଭୂତ ହେଲା। ତହୁଁ ଦେଶ ଅଶୀ ବର୍ଷ ପର୍ଯ୍ୟନ୍ତ ବିଶ୍ରାମ ପାଇଲା।

31 ଆଉ ଏହୂଦଙ୍କ ପରେ ଅନାତର ପୁତ୍ର ଶମ୍‍ଗର (ବିଚାରକର୍ତ୍ତା) ହେଲେ, ସେ ପଲେଷ୍ଟୀୟ ଛଅ ଶହ ଲୋକଙ୍କୁ ଗୋକଣ୍ଟକ ପାଞ୍ଚଣ ଦ୍ୱାରା ବଧ କଲେ; ସେ ମଧ୍ୟ ଇସ୍ରାଏଲର ଏକ ଉଦ୍ଧାରକର୍ତ୍ତା ଥିଲେ।

Everything we make is available for free because of a generous community of supporters.

Donate