Menu

ଯିହୋଶୂୟ 11

IRV

1 ଏଥିଉତ୍ତାରେ ହାସୋରର ରାଜା ଯାବୀନ୍‍ ସେହି ବିଷୟ ଶୁଣନ୍ତେ, ସେ ମାଦୋନର ରାଜା ଯୋବବ୍‍ ଓ ଶିମ୍ରୋଣର ରାଜା ଓ ଅକ୍‍ଷଫର ରାଜା ନିକଟକୁ,

2 ପୁଣି ଉତ୍ତର ଦେଶୀୟ ପର୍ବତରେ ଓ କିନ୍ନେରତ୍‍ର ଦକ୍ଷିଣସ୍ଥ ପଦାଭୂମିରେ ଓ ତଳଭୂମିରେ ଓ ପଶ୍ଚିମସ୍ଥ ଦୋର ନାମକ ଉପପର୍ବତରେ ଥିବା ରାଜାଗଣ ନିକଟକୁ,

3 ଅର୍ଥାତ୍‍, ପୂର୍ବ ଓ ପଶ୍ଚିମ ଦେଶୀୟ କିଣାନୀୟମାନଙ୍କ ଓ ଇମୋରୀୟମାନଙ୍କ ଓ ହିତ୍ତୀୟମାନଙ୍କ ଓ ପରିଷୀୟମାନଙ୍କ ଓ ପର୍ବତସ୍ଥ ଯିବୂଷୀୟମାନଙ୍କ ଓ ହର୍ମୋଣର ଅଧଃସ୍ଥିତ ମିସ୍ପା ଦେଶୀୟ ହିବ୍ବୀୟମାନଙ୍କ ନିକଟକୁ ଲୋକ ପଠାଇଲେ।

4 ତହିଁରେ ସେମାନେ ଆପଣା ଆପଣା ସୈନ୍ୟ ସହିତ ଅପାର ଲୋକ ସମୁଦ୍ରତୀରସ୍ଥ ବାଲୁକା ତୁଲ୍ୟ ଲୋକାରଣ୍ୟ ହୋଇ ଅନେକ ଅନେକ ଅଶ୍ୱ ଓ ରଥ ସଙ୍ଗେ ନେଇ ବାହାର ହେଲେ।

5 ପୁଣି ଏସମସ୍ତ ରାଜା ଏକତ୍ର ମିଳିଲେ ଓ ଇସ୍ରାଏଲ ସହିତ ଯୁଦ୍ଧ କରିବା ପାଇଁ ଆସି ମେରୋମ୍‍ ନାମକ ଜଳାଶୟ ନିକଟରେ ଏକତ୍ର ଛାଉଣି ସ୍ଥାପନ କଲେ।

6 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ସେମାନଙ୍କ ସମ୍ମୁଖରେ ଭୀତ ନ ହୁଅ; କାରଣ କାଲି ଏହି ସମୟରେ ଆମ୍ଭେ ସେସମସ୍ତଙ୍କୁ ଇସ୍ରାଏଲ ସମ୍ମୁଖରେ ହତ କରି ସମର୍ପଣ କରିବା; ତୁମ୍ଭେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟିବ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କରିବ।”

7 ପୁଣି ଯିହୋଶୂୟ ଓ ସମସ୍ତ ଯୋଦ୍ଧା ମେରୋମ୍‍ ଜଳାଶୟ ନିକଟରେ ହଠାତ୍‍ ସେମାନଙ୍କ ବିରୁଦ୍ଧରେ ଆସି ସେମାନଙ୍କୁ ଆକ୍ରମଣ କଲେ।

8 ତହିଁରେ ସଦାପ୍ରଭୁ ସେମାନଙ୍କୁ ଇସ୍ରାଏଲ ହସ୍ତରେ ସମର୍ପଣ କରନ୍ତେ, ସେମାନେ ସେମାନଙ୍କୁ ଆଘାତ କଲେ ଓ ମହାସୀଦୋନ ଓ ମିଷ୍ରଫୋତ୍‍-ମୟିମ୍‍ ପର୍ଯ୍ୟନ୍ତ, ଆଉ ପୂର୍ବ ଦିଗରେ ମିସ୍ପେର ସମସ୍ଥଳୀ ପର୍ଯ୍ୟନ୍ତ ସେମାନଙ୍କୁ ଘଉଡ଼ାଇ ନେଲେ, ପୁଣି ସେମାନଙ୍କର କେହି ଅବଶିଷ୍ଟ ନ ରହିବା ପର୍ଯ୍ୟନ୍ତ ସେମାନଙ୍କୁ ସଂହାର କଲେ।

9 ଆଉ ଯିହୋଶୂୟ ସେମାନଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ କର୍ମ କଲେ; ସେ ସେମାନଙ୍କ ଅଶ୍ୱଗଣର ପାଦଶିରା କାଟି ପକାଇଲେ ଓ ସେମାନଙ୍କ ରଥସବୁ ଅଗ୍ନିରେ ଦଗ୍ଧ କଲେ।

10 ସେହି ସମୟରେ ଯିହୋଶୂୟ ଫେରିଆସି ହାସୋର ହସ୍ତଗତ କଲେ ଓ ତହିଁର ରାଜାକୁ ଖଡ୍ଗରେ ଆଘାତ କଲେ; ପୂର୍ବକାଳରେ ହାସୋର ସେହି ସବୁ ରାଜ୍ୟର ମସ୍ତକ ଥିଲା।

11 ଆଉ ଲୋକମାନେ ତହିଁର ନିବାସୀ ସମସ୍ତ ପ୍ରାଣୀଙ୍କୁ ଖଡ୍ଗଧାରରେ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ; ନିଃଶ୍ୱାସପ୍ରଶ୍ୱାସଧାରୀ କେହି ଅବଶିଷ୍ଟ ରହିଲା ନାହିଁ ଓ ସେ ହାସୋରକୁ ଅଗ୍ନିରେ ଦଗ୍ଧ କଲେ।

12 ପୁଣି ଯିହୋଶୂୟ ସେହି ରାଜାଗଣର ସମସ୍ତ ନଗର ଓ ସେସବୁର ରାଜାମାନଙ୍କୁ ହସ୍ତଗତ କଲେ ଓ ସଦାପ୍ରଭୁଙ୍କ ସେବକ ମୋଶାଙ୍କ ଆଜ୍ଞାନୁସାରେ ଖଡ୍ଗଧାରରେ ସେମାନଙ୍କୁ ଆଘାତ କରି ସମ୍ପୂର୍ଣ୍ଣ ରୂପେ ବିନାଶ କଲେ।

13 ମାତ୍ର ଆପଣା ଆପଣା ଟିକର ଉପରେ ସ୍ଥାପିତ ନଗରମାନ ମଧ୍ୟରୁ କେବଳ ହାସୋର ବିନୁ ଆଉ କୌଣସି ନଗର ଇସ୍ରାଏଲ ଦଗ୍ଧ କଲେ ନାହିଁ; ତାହା ଯିହୋଶୂୟ ଦଗ୍ଧ କଲେ।

14 ଆଉ ଇସ୍ରାଏଲ-ସନ୍ତାନଗଣ ସେସବୁ ନଗରର ଦ୍ରବ୍ୟାଦି ଓ ପଶୁଗଣକୁ ଆପଣାମାନଙ୍କ ନିମନ୍ତେ ଲୁଟ କରି ନେଲେ; ମାତ୍ର ସମ୍ପୂର୍ଣ୍ଣ ରୂପେ ବଧ କରିବା ଯାଏ ସେମାନେ ଖଡ୍ଗଧାରରେ ପ୍ରତ୍ୟେକ ମନୁଷ୍ୟକୁ ଆଘାତ କଲେ, ପୁଣି ସେମାନେ ନିଃଶ୍ୱାସପ୍ରଶ୍ୱାସଧାରୀ କାହାକୁ ଅବଶିଷ୍ଟ ରଖିଲେ ନାହିଁ।

15 ସଦାପ୍ରଭୁ ଆପଣା ସେବକ ମୋଶାଙ୍କୁ ଯେରୂପ ଆଜ୍ଞା ଦେଇଥିଲେ, ସେରୂପ ମୋଶା ଯିହୋଶୂୟଙ୍କୁ ଆଜ୍ଞା ଦେଲେ; ଆଉ ଯିହୋଶୂୟ ତଦନୁସାରେ କର୍ମ କଲେ; ସଦାପ୍ରଭୁ ମୋଶାଙ୍କୁ ଯେ ଯେ ଆଜ୍ଞା ଦେଇଥିଲେ, ସେସବୁ ମଧ୍ୟରୁ କୌଣସି କଥା ସେ ଅନ୍ୟଥା କଲେ ନାହିଁ।

16 ଏହିରୂପେ ଯିହୋଶୂୟ ସେହି ସବୁ ପ୍ରଦେଶ ଓ ସେଠାର ପର୍ବତମୟ ଦେଶ ଓ ସମସ୍ତ ଦକ୍ଷିଣାଞ୍ଚଳ ଓ ଗୋଶନର ସମସ୍ତ ପ୍ରଦେଶ ଓ ତଳଭୂମି ଓ ପଦାଭୂମି ଓ ଇସ୍ରାଏଲର ପର୍ବତମୟ ଦେଶ ଓ ତହିଁର ତଳଭୂମି;

17 ସେୟୀରଗାମୀ ହାଲକ୍‍ ପର୍ବତଠାରୁ ହର୍ମୋଣ ପର୍ବତର ନୀଚସ୍ଥ ଲିବାନୋନ ସମସ୍ଥଳୀରେ ଥିବା ବାଲ୍‍ଗାଦ୍‍ ପର୍ଯ୍ୟନ୍ତ ସମସ୍ତ ଦେଶ ହସ୍ତଗତ କଲେ; ପୁଣି ସେମାନଙ୍କର ସମସ୍ତ ରାଜାଙ୍କୁ ଧରି ଆଘାତପୂର୍ବକ ବଧ କଲେ।

18 ଯିହୋଶୂୟ ସେହି ରାଜାମାନଙ୍କ ସଙ୍ଗେ ଅନେକ ଦିନ ଯୁଦ୍ଧ କଲେ।

19 ଗିବୀୟୋନ୍‍ ନିବାସୀ ହିବ୍ବୀୟ ଲୋକମାନଙ୍କ ଛଡ଼ା ଆଉ କୌଣସି ନଗରୀୟ ଲୋକମାନେ ଇସ୍ରାଏଲ-ସନ୍ତାନଗଣ ସଙ୍ଗରେ ସନ୍ଧି କଲେ ନାହିଁ; ସେମାନେ ଯୁଦ୍ଧ କରି ଅନ୍ୟ ସମସ୍ତ ହସ୍ତଗତ କଲେ।

20 କାରଣ ସେମାନେ ଇସ୍ରାଏଲ ସହିତ ଯୁଦ୍ଧ କରିବାକୁ ଆସି ଯେପରି ସମ୍ପୂର୍ଣ୍ଣ ରୂପେ ବିନଷ୍ଟ ହୋଇ ଦୟା ନ ପାଇବେ, ମାତ୍ର ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଉଚ୍ଛିନ୍ନ ହେବେ, ଏନିମନ୍ତେ ସେମାନଙ୍କ ହୃଦୟ କଠିନ କରିବାକୁ ସଦାପ୍ରଭୁଙ୍କର ମାନସ ଥିଲା।

21 ଆଉ ସେହି ସମୟରେ ଯିହୋଶୂୟ ଆସି ପର୍ବତମୟ ଦେଶରୁ, ହିବ୍ରୋଣରୁ, ଦବୀରରୁ, ଅନାବରୁ ଓ ଯିହୁଦାର ସମସ୍ତ ପର୍ବତମୟ ଦେଶରୁ ଓ ଇସ୍ରାଏଲର ସମସ୍ତ ପର୍ବତମୟ ଦେଶରୁ ଅନାକୀୟମାନଙ୍କୁ ଉଚ୍ଛିନ୍ନ କଲେ; ଯିହୋଶୂୟ ସେମାନଙ୍କ ନଗର ସମେତ ସେମାନଙ୍କୁ ବର୍ଜିତ ରୂପେ ବିନାଶ କଲେ।

22 ଇସ୍ରାଏଲ-ସନ୍ତାନଗଣର ଦେଶରେ ଅନାକୀୟମାନଙ୍କର କେହି ଅବଶିଷ୍ଟ ରହିଲେ ନାହିଁ, କେବଳ ଘସାରେ, ଗାଥ୍‍ ଓ ଅସ୍ଦୋଦରେ କେହି କେହି ରହିଲେ।

23 ଏହିରୂପେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ବାକ୍ୟାନୁସାରେ ଯିହୋଶୂୟ ସେସମସ୍ତ ଦେଶ ହସ୍ତଗତ କଲେ ଓ ଯିହୋଶୂୟ ପ୍ରତ୍ୟେକ ବଂଶର ବିଭାଗାନୁସାରେ ଅଧିକାର କରିବାକୁ ଇସ୍ରାଏଲଙ୍କୁ ତାହା ଦେଲେ। ତହୁଁ ଦେଶ ଯୁଦ୍ଧରୁ ବିଶ୍ରାମ ପାଇଲା।

Everything we make is available for free because of a generous community of supporters.

Donate