Menu

ଯିହୋଶୂୟ 20

IRV

1 ଏଥିଉତ୍ତାରେ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ତୁମ୍ଭେ ଇସ୍ରାଏଲ-ସନ୍ତାନଗଣକୁ କୁହ;

2 ‘ଆମ୍ଭେ ମୋଶା ହାତରେ ଯେଉଁସବୁ ଆଶ୍ରୟ ନଗର ବିଷୟ ତୁମ୍ଭମାନଙ୍କୁ କହିଅଛୁ, ତାହା ତୁମ୍ଭେମାନେ ଆପଣାମାନଙ୍କ ପାଇଁ ନିରୂପଣ କର।

3 ତହିଁରେ ଯେଉଁ ନରହତ୍ୟାକାରୀ ଭ୍ରାନ୍ତିରେ ଓ ଅଜ୍ଞାତସାରରେ କାହାକୁ ବଧ କରେ, ସେ ସେଠାକୁ ପଳାଇ ଯାଇ ପାରିବ; ପୁଣି ସେହି ସବୁ ନଗର ରକ୍ତର ପ୍ରତିହନ୍ତାଠାରୁ ତୁମ୍ଭମାନଙ୍କ ପ୍ରତି ଆଶ୍ରୟ ନଗର ହେବ।

4 ଆଉ ତହିଁ ମଧ୍ୟରୁ କୌଣସି ନଗରକୁ ପଳାୟନକାରୀ ଲୋକ ନଗର ଦ୍ୱାରର ପ୍ରବେଶ ସ୍ଥାନରେ ଠିଆ ହୋଇ ନଗରର ପ୍ରାଚୀନମାନଙ୍କ କର୍ଣ୍ଣଗୋଚରରେ ଆପଣାର କଥା କହିବ, ତହୁଁ ସେମାନେ ନଗର ମଧ୍ୟରେ ଆପଣାମାନଙ୍କ ନିକଟକୁ ତାହାକୁ ଆଣି ଆପଣାମାନଙ୍କ ମଧ୍ୟରେ ବାସ କରିବାକୁ ସ୍ଥାନ ଦେବେ।

5 ପୁଣି ରକ୍ତର ପ୍ରତିହନ୍ତା ତାହା ପଛେ ପଛେ ଗୋଡ଼ାଇଲେ, ସେମାନେ ନରହତ୍ୟାକାରୀକୁ ତାହା ହସ୍ତରେ ସମର୍ପଣ କରିବେ ନାହିଁ; କାରଣ ସେ ଅଜ୍ଞାତସାରରେ ଆପଣା ପ୍ରତିବାସୀକୁ ବଧ କରିଅଛି ଓ ସେ ପୂର୍ବରେ ତାହାକୁ ହିଂସା କରି ନ ଥିଲା।

6 ଏହି ନିମନ୍ତେ ସେ ବିଚାରାର୍ଥେ ମଣ୍ଡଳୀ ସାକ୍ଷାତରେ ଠିଆ ହେବା ଯାଏ, ପୁଣି ସେହି ସମୟର ମହାଯାଜକର ମୃତ୍ୟୁୁ ହେବା ଯାଏ ସେ ସେହି ନଗରରେ ବାସ କରିବ; ତହିଁ ଉତ୍ତାରେ ସେହି ନରହତ୍ୟାକାରୀ ଯେଉଁ ନଗରରୁ ପଳାୟନ କରିଥିଲା, ଆପଣା ନିଜର ସେହି ନଗରକୁ ଓ ଆପଣା ନିଜ ଗୃହକୁ ଫେରି ଆସିବ।’”

7 ଏଣୁ ସେମାନେ ନପ୍ତାଲିର ପର୍ବତମୟ ଦେଶସ୍ଥ ଗାଲିଲୀରେ କେଦଶ ଓ ଇଫ୍ରୟିମ-ପର୍ବତମୟ ଦେଶରେ ଶିଖିମ ଓ ଯିହୁଦାର ପର୍ବତମୟ ଦେଶରେ କିରୀୟଥ୍‍-ଅର୍ବ (ଏହାକୁ ହିବ୍ରୋଣ କହନ୍ତି) ପ୍ରତିଷ୍ଠା କଲେ।

8 ପୁଣି ଯିରୀହୋ ନିକଟସ୍ଥ ଯର୍ଦ୍ଦନ-ପୂର୍ବପାରିରେ ରୁବେନ୍‍ ବଂଶର ସମଭୂମି ପ୍ରାନ୍ତରରେ ବେତ୍ସର ଓ ଗାଦ୍‍ ବଂଶର ଗିଲୀୟଦରେ ରାମୋତ୍‍ ଓ ମନଃଶି ବଂଶର ବାଶନରେ ଗୋଲନ୍‍ ନିରୂପଣ କଲେ।

9 କେହି ଭ୍ରାନ୍ତିରେ ନରହତ୍ୟା କଲେ, ମଣ୍ଡଳୀ ସାକ୍ଷାତରେ ଠିଆ ହେବା ପର୍ଯ୍ୟନ୍ତ ସେହି ସ୍ଥାନକୁ ପଳାଇ ଯେପରି ରକ୍ତର ପ୍ରତିହନ୍ତାର ହସ୍ତରେ ନ ମରେ, ଏନିମନ୍ତେ ଇସ୍ରାଏଲ ସନ୍ତାନ ସମସ୍ତଙ୍କ ପାଇଁ ଓ ସେମାନଙ୍କ ମଧ୍ୟରେ ପ୍ରବାସକାରୀ ବିଦେଶୀ ଲୋକ ପାଇଁ ଏସବୁ ନଗର ନିରୂପିତ ହେଲା।

Everything we make is available for free because of a generous community of supporters.

Donate