Menu

ଯିହୋଶୂୟ 6

IRV

1 (ସେହି ସମୟରେ ଇସ୍ରାଏଲ-ସନ୍ତାନଗଣ ସକାଶୁ ଯିରୀହୋ ରୁଦ୍ଧ ଥିଲା; ଦୃଢ଼ ରୂପେ ରୁଦ୍ଧ ହୋଇଥିଲା; କେହି ବାହାରକୁ ଗଲେ ନାହିଁ ଓ କେହି ଭିତରକୁ ଆସିଲେ ନାହିଁ।)

2 ତହୁଁ ସଦାପ୍ରଭୁ ଯିହୋଶୂୟଙ୍କୁ କହିଲେ, “ଦେଖ, ଆମ୍ଭେ ତୁମ୍ଭ ହସ୍ତରେ ଯିରୀହୋ ନଗର ଓ ତହିଁର ରାଜା ଓ ମହାବିକ୍ରମଶାଳୀ ଲୋକମାନଙ୍କୁ ସମର୍ପଣ କଲୁ।

3 ତୁମ୍ଭେମାନେ ନଗର ବେଷ୍ଟନ କରିବ, ସମସ୍ତ ଯୋଦ୍ଧା ଥରେ ନଗର ଚାରିଆଡ଼େ ପ୍ରଦକ୍ଷିଣ କରିବେ। ଏହି ପ୍ରକାରେ ତୁମ୍ଭେ ଛଅ ଦିନ କରିବ।

4 ପୁଣି ସାତ ଜଣ ଯାଜକ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହିବେ; ଆଉ ସପ୍ତମ ଦିନ ତୁମ୍ଭେମାନେ ସାତ ଥର ନଗର ପ୍ରଦକ୍ଷିଣ କରିବ ଓ ଯାଜକମାନେ ତୂରୀ ବଜାଇବେ;

5 ଏଥିରେ ଯେତେବେଳେ ସେମାନେ ମହାଶବ୍ଦକାରୀ ଶିଙ୍ଗାରେ ଦୀର୍ଘଧ୍ୱନି କରିବେ ଓ ଯେତେବେଳେ ତୁମ୍ଭେମାନେ ସେହି ତୂରୀ ଶବ୍ଦ ଶୁଣିବ, ସେତେବେଳେ ସମସ୍ତ ଲୋକ ମହା ଜୟଧ୍ୱନିରେ ଜୟଧ୍ୱନି କରିବେ; ତହିଁରେ ନଗରର ପ୍ରାଚୀର ପଡ଼ି ସମଭୂମି ହେବ ଓ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ଉଠିଯିବେ।”

6 ତହୁଁ ନୂନର ପୁତ୍ର ଯିହୋଶୂୟ ଯାଜକମାନଙ୍କୁ ଡାକି କହିଲେ, “ତୁମ୍ଭେମାନେ ନିୟମ-ସିନ୍ଦୁକ ଘେନ ଓ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସିନ୍ଦୁକର ଅଗ୍ରସର ହୋଇ ମହାଶବ୍ଦକାରୀ ସାତ ତୂରୀ ବହନ୍ତୁ।”

7 ଏଥିରେ ସେମାନେ ଲୋକମାନଙ୍କୁ କହିଲେ, “ତୁମ୍ଭେମାନେ ଅଗ୍ରସର ହୋଇ ନଗର ବେଷ୍ଟନ କର ଓ ସସଜ୍ଜ ଲୋକେ ସଦାପ୍ରଭୁଙ୍କ ସିନ୍ଦୁକ ସମ୍ମୁଖବର୍ତ୍ତୀ ହୋଇ ଗମନ କରନ୍ତୁ।”

8 ତେଣୁ ଯିହୋଶୂୟ ଲୋକମାନଙ୍କୁ କହିଲା ଉତ୍ତାରେ ସାତ ଜଣ ଯାଜକ ସଦାପ୍ରଭୁଙ୍କ ସମ୍ମୁଖରେ ମହାଶବ୍ଦକାରୀ ତୂରୀ ବହି ବଜାଇ ବଜାଇ ଚାଲିଲେ ଓ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ସେମାନଙ୍କ ପଛେ ପଛେ ଚଳିଲା।

9 ଆଉ ସସଜ୍ଜ ଲୋକମାନେ ତୂରୀବାଦକ ଯାଜକମାନଙ୍କ ଆଗେ ଆଗେ ଚାଲିଲେ, ପୁଣି ଯାଜକମାନେ ତୂରୀ ବଜାଇ ଯାଉ ଯାଉ ପଶ୍ଚାଦ୍‍ଗାମୀ ଲୋକମାନେ ସିନ୍ଦୁକର ପଛେ ପଛେ ଗମନ କଲେ।

10 ମାତ୍ର ଯିହୋଶୂୟ ଲୋକମାନଙ୍କୁ ଆଜ୍ଞା ଦେଇ କହିଥିଲେ, “ତୁମ୍ଭେମାନେ ଜୟଧ୍ୱନି କରିବ ନାହିଁ, କି ଆପଣା ରବ ଶୁଣାଇବ ନାହିଁ, କିଅବା ତୁମ୍ଭମାନଙ୍କ ମୁଖରୁ କୌଣସି ବାକ୍ୟ ନିର୍ଗତ ହେବ ନାହିଁ, ମୁଁ ଜୟଧ୍ୱନି କରିବାକୁ ଆଜ୍ଞା ଦେଲେ, ତୁମ୍ଭେମାନେ ଜୟଧ୍ୱନି କରିବ।”

11 ଏହିରୂପେ ସେ ସଦାପ୍ରଭୁଙ୍କ ସିନ୍ଦୁକକୁ ନଗରର ଚାରିଆଡ଼େ ଥରେ ଲେଖାଏଁ ପ୍ରଦକ୍ଷିଣ କରାଇଲେ; ତହୁଁ ଲୋକମାନେ ଛାଉଣିକୁ ଆସିଲେ, ଆଉ ଛାଉଣିରେ ବାସ କଲେ।

12 ଏଥିଉତ୍ତାରେ ଯିହୋଶୂୟ ଅତି ପ୍ରଭାତରେ ଉଠିଲେ, ପୁଣି ଯାଜକମାନେ ସଦାପ୍ରଭୁଙ୍କ ସିନ୍ଦୁକ ଘେନିଲେ।

13 ଆଉ ସାତ ଯାଜକ ମହାଶବ୍ଦକାରୀ ସାତ ତୂରୀ ଧରି ସଦାପ୍ରଭୁଙ୍କ ସିନ୍ଦୁକ ଆଗେ ଆଗେ କ୍ରମାଗତ ଗମନ କରି ତୂରୀ ବଜାଇଲେ; ସସଜ୍ଜ ଲୋକମାନେ ସେମାନଙ୍କ ଅଗ୍ରସର ହୋଇ ଚାଲିଲେ; ପୁଣି ପଶ୍ଚାଦ୍‍ବର୍ତ୍ତୀ ଲୋକମାନେ ସଦାପ୍ରଭୁଙ୍କ ସିନ୍ଦୁକ ପଛେ ପଛେ ଚାଲିଲେ, ଯାଜକମାନେ ତୂରୀ ବଜାଇ ବଜାଇ ଗମନ କଲେ।

14 ଆଉ ଦ୍ୱିତୀୟ ଦିନ ସେମାନେ ଥରେ ନଗର ପ୍ରଦକ୍ଷିଣ କରି ଛାଉଣିକୁ ଫେରି ଆସିଲେ; ଏହିରୂପେ ସେମାନେ ଛଅ ଦିନ କଲେ।

15 ତହୁଁ ସପ୍ତମ ଦିନ ପ୍ରଭାତରେ ଅରୁଣୋଦୟ ସମୟରେ ସେମାନେ ଉଠି ସେହିରୂପେ ସାତ ଥର ନଗର ପ୍ରଦକ୍ଷିଣ କଲେ; କେବଳ ସେହି ଦିନ ସେମାନେ ସାତ ଥର ନଗର ପ୍ରଦକ୍ଷିଣ କଲେ।

16 ପୁଣି ଯାଜକମାନେ ସପ୍ତମ ଥର ତୂରୀ ବଜାଇବା ବେଳେ ଯିହୋଶୂୟ ଲୋକମାନଙ୍କୁ କହିଲେ, “ଜୟଧ୍ୱନି କର; କାରଣ ସଦାପ୍ରଭୁ ତୁମ୍ଭମାନଙ୍କୁ ଏ ନଗର ଦେଲେ।

17 ମାତ୍ର ନଗର ଓ ତନ୍ମଧ୍ୟସ୍ଥ ସମସ୍ତ ବସ୍ତୁ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ବର୍ଜିତ ହେବ; କେବଳ ରାହାବ ବେଶ୍ୟା, ସେ ଓ ଗୃହରେ ତାହା ସଙ୍ଗେ ଥିବା ସମସ୍ତ ଲୋକ ଜୀବିତ ରହିବେ, କାରଣ ସେ ଆମ୍ଭମାନଙ୍କ ପ୍ରେରିତ ଗୁପ୍ତଚରଙ୍କୁ ଲୁଚାଇ ରଖିଥିଲା।

18 ଆଉ ତୁମ୍ଭେମାନେ ସେହି ବର୍ଜିତ ଦ୍ରବ୍ୟରୁ ଆପଣାମାନଙ୍କୁ କୌଣସିମତେ ରକ୍ଷା କରିବ, ନୋହିଲେ କେଜାଣି ତୁମ୍ଭେମାନେ ତାହା ବର୍ଜିତ କଲା ଉତ୍ତାରେ ସେହି ବର୍ଜିତ ବସ୍ତୁରୁ କିଛି ଗ୍ରହଣ କରିବ; ତାହା କଲେ, ତୁମ୍ଭେମାନେ ଇସ୍ରାଏଲ ଛାଉଣିକୁ ବର୍ଜିତ କରିବ ଓ ତାକୁ ଦୁଃଖ ଦେବ।

19 ମାତ୍ର ସମୁଦାୟ ରୂପା ଓ ସୁନା, ପୁଣି ସମସ୍ତ ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ପବିତ୍ର; ତାହାସବୁ ସଦାପ୍ରଭୁଙ୍କ ଭଣ୍ଡାରକୁ ଆସିବ।”

20 ଏରୂପେ ଲୋକମାନେ ଜୟଧ୍ୱନି କଲେ ଓ ଯାଜକମାନେ ତୂରୀ ବଜାଇଲେ; ପୁଣି ଲୋକମାନେ ତୂରୀଧ୍ୱନି ଶୁଣି ମହା ଜୟଧ୍ୱନିରେ ଜୟଧ୍ୱନି କରନ୍ତେ, ପ୍ରାଚୀର ପଡ଼ି ସମଭୂମି ହେଲା; ତେଣୁ ଲୋକମାନେ ପ୍ରତ୍ୟେକେ ଆପଣା ଆପଣା ସମ୍ମୁଖସ୍ଥ ପଥ ଦେଇ ନଗରକୁ ଉଠିଗଲେ ଓ ନଗର ହସ୍ତଗତ କଲେ।

21 ପୁଣି ସେମାନେ ପୁରୁଷ ଓ ସ୍ତ୍ରୀ, ଯୁବା ଓ ବୃଦ୍ଧ, ପୁଣି ଗୋରୁ ଓ ମେଷ ଓ ଗର୍ଦ୍ଦଭ ଆଦି ଯାହା ଯାହା ନଗରରେ ଥିଲା, ସେସବୁକୁ ଖଡ୍ଗମୁଖରେ ବର୍ଜିତ ରୂପେ ବିନାଶ କଲେ।

22 ମାତ୍ର ଯେଉଁ ଦୁଇ ବ୍ୟକ୍ତି ଦେଶ ଅନୁସନ୍ଧାନ କରିଥିଲେ, ଯିହୋଶୂୟ ସେମାନଙ୍କୁ କହିଲେ, “ତୁମ୍ଭେମାନେ ସେହି ବେଶ୍ୟାର ଘରକୁ ଯାଅ, ପୁଣି ତାହା ନିକଟରେ ଯେଉଁ ଶପଥ କରିଅଛ, ତଦନୁସାରେ ସେହି ସ୍ତ୍ରୀକୁ ଓ ତାହାର ଯାହା ଯାହା ଅଛି, ସେସବୁକୁ ସେଠାରୁ ବାହାର କରି ଆଣ।”

23 ଏଥିରେ ସେହି ଯୁବା ଗୁପ୍ତଚରମାନେ ଗଲେ, ପୁଣି ରାହାବକୁ ଓ ତାହାର ପିତା ଓ ତାହାର ମାତା ଓ ତାହାର ଭାଇମାନଙ୍କୁ, ପୁଣି ଯାହା ଯାହା ତାହାର ଥିଲା, ସେସବୁ ବାହାର କରି ଆଣିଲେ, ମଧ୍ୟ ସେମାନେ ତାହାର ଜ୍ଞାତି ସମସ୍ତଙ୍କୁ ବାହାର କରି ଆଣିଲେ; ଆଉ ସେମାନଙ୍କୁ ଇସ୍ରାଏଲ-ଛାଉଣି ବାହାରେ ରଖିଲେ।

24 ଆହୁରି ଲୋକମାନେ ନଗର ଓ ତନ୍ମଧ୍ୟସ୍ଥିତସକଳ ବସ୍ତୁ ଅଗ୍ନିରେ ଦଗ୍ଧ କଲେ; କେବଳ ରୂପା ଓ ସୁନା, ପୁଣି ପିତ୍ତଳ ଓ ଲୁହାର ପାତ୍ର ସଦାପ୍ରଭୁଙ୍କ ଗୃହର ଭଣ୍ଡାରରେ ରଖିଲେ।

25 ମାତ୍ର ଯିହୋଶୂୟ ରାହାବ ବେଶ୍ୟାକୁ ଓ ତାହାର ପିତୃପରିବାରକୁ ଓ ତାହାର ସର୍ବସ୍ୱ ଜୀବିତ ରଖିଲେ; ପୁଣି ସେ ଆଜି ପର୍ଯ୍ୟନ୍ତ ଇସ୍ରାଏଲ ମଧ୍ୟରେ ବସତି କରୁଅଛି; କାରଣ ଯିରୀହୋ ଅନ୍ୱେଷଣ କରିବା ପାଇଁ ଯିହୋଶୂୟ ଯେଉଁ ଗୁପ୍ତଚରଙ୍କୁ ପଠାଇଥିଲେ, ସେମାନଙ୍କୁ ସେ ଲୁଚାଇ ରଖିଥିଲା।

26 ସେସମୟରେ ଯିହୋଶୂୟ ସେମାନଙ୍କୁ ଶପଥ କରାଇ କହିଲେ, ଯେକେହି ଉଠି ପୁନର୍ବାର ଏହି ଯିରୀହୋ ନଗର ନିର୍ମାଣ କରେ, ସେ ସଦାପ୍ରଭୁଙ୍କ ସାକ୍ଷାତରେ ଶାପଗ୍ରସ୍ତ ହେଉ; “ସେ ଆପଣା ଜ୍ୟେଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଭିତ୍ତିମୂଳ ସ୍ଥାପନ କରିବ ଓ ଆପଣା କନିଷ୍ଠ ପୁତ୍ରର ମୃତ୍ୟୁୁ ସହିତ ତହିଁର ଦ୍ୱାରମାନ ସ୍ଥାପନ କରିବ।”

27 ଏହିରୂପେ ସଦାପ୍ରଭୁ ଯିହୋଶୂୟଙ୍କର ସହବର୍ତ୍ତୀ ହେଲେ ଓ ତାଙ୍କର କୀର୍ତ୍ତି ଦେଶଯାକ ବ୍ୟାପିଲା।

Everything we make is available for free because of a generous community of supporters.

Donate