Menu

ଲେବୀୟ ପୁସ୍ତକ 2

IRV

1 ଆଉ, କେହି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ଷ୍ୟ ନୈବେଦ୍ୟ ଆଣିଲେ, ସରୁ ମଇଦା ତାହାର ନୈବେଦ୍ୟ ହେବ; ପୁଣି ସେ ତହିଁ ଉପରେ ତୈଳ ଢାଳି କୁନ୍ଦୁରୁ ଦେବ;

2 ପୁଣି ତାହା ହାରୋଣର ପୁତ୍ର ଯାଜକମାନଙ୍କ ନିକଟକୁ ଆଣିବ; ତହିଁରେ ଯାଜକ ତହିଁରୁ ମୁଠାଏ ସରୁ ମଇଦା ଓ କିଛି ତୈଳ ଓ ସମସ୍ତ କୁନ୍ଦୁରୁ ନେବ; ପୁଣି ଯାଜକ ସ୍ମରଣାର୍ଥକ ଅଂଶ ରୂପେ ତାହା ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।

3 ଏହି ଭକ୍ଷ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରମାନଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର।

4 ଆଉ ଯଦି ତୁମ୍ଭେ ଭକ୍ଷ୍ୟ ନୈବେଦ୍ୟ ରୂପେ ତନ୍ଦୁରରେ ରନ୍ଧନ ହୋଇଥିବା ଦ୍ରବ୍ୟ ଦିଅ, ତେବେ ତାହା ତୈଳ ମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ଅବା ତୈଳାକ୍ତ ସରୁ ଚକୁଳି ହେବ।

5 ଆଉ ଯଦି ପଲମରେ ଭଜା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ ନୈବେଦ୍ୟ ହୁଏ, ତେବେ ତାହା ତୈଳ ମିଶ୍ରିତ ଓ ତାଡ଼ିଶୂନ୍ୟ ସରୁ ମଇଦାର ପିଠା ହେବ।

6 ତୁମ୍ଭେ ତାହା ଖଣ୍ଡ ଖଣ୍ଡ କରି ତହିଁ ଉପରେ ତୈଳ ଢାଳିବ; ତାହା ଭକ୍ଷ୍ୟ ନୈବେଦ୍ୟ।

7 ଆଉ ଯଦି କରେଇରେ ରନ୍ଧନ ହୋଇଥିବା ଦ୍ରବ୍ୟ ତୁମ୍ଭର ଭକ୍ଷ୍ୟ ନୈବେଦ୍ୟ ହୁଏ, ତେବେ ତାହା ତୈଳରେ ରନ୍ଧନ ହୋଇଥିବା ସରୁ ମଇଦାର ହେବ।

8 ତୁମ୍ଭେ ଏହିସବୁ ଦ୍ରବ୍ୟରେ ପ୍ରସ୍ତୁତ ଭକ୍ଷ୍ୟ ନୈବେଦ୍ୟ ସଦାପ୍ରଭୁଙ୍କ ଛାମୁକୁ ଆଣିବ; ଆଉ ତାହା ଯାଜକକୁ ଦେବ, ତହୁଁ ସେ ବେଦି ନିକଟକୁ ଆଣିବ।

9 ପୁଣି, ଯାଜକ ସେହି ଭକ୍ଷ୍ୟ ନୈବେଦ୍ୟରୁ ସ୍ମରଣାର୍ଥକ ଅଂଶ ନେଇ ବେଦି ଉପରେ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ତୁଷ୍ଟିଜନକ ଆଘ୍ରାଣାର୍ଥେ ଅଗ୍ନିକୃତ ଉପହାର ହେବ।

10 ପୁଣି ସେହି ଭକ୍ଷ୍ୟ ନୈବେଦ୍ୟର ଅବଶିଷ୍ଟ ଅଂଶ ହାରୋଣର ଓ ତାହାର ପୁତ୍ରଗଣଙ୍କର ହେବ; ସଦାପ୍ରଭୁଙ୍କର ଅଗ୍ନିକୃତ ଉପହାର ମଧ୍ୟରେ ତାହା ମହାପବିତ୍ର।

11 ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଯେକୌଣସି ଭକ୍ଷ୍ୟ ନୈବେଦ୍ୟ ଉତ୍ସର୍ଗ କରିବ, ତାହା ତାଡ଼ିଯୁକ୍ତ ହେବ ନାହିଁ, ଯେହେତୁ ତୁମ୍ଭେମାନେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର ରୂପେ ତାଡ଼ି କି ମଧୁ ଦଗ୍ଧ କରିବ ନାହିଁ।

12 ତୁମ୍ଭେମାନେ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବ, ମାତ୍ର ତୁଷ୍ଟିଜନକ ଆଘ୍ରାଣାର୍ଥେ ତାହା ବେଦି ଉପରକୁ ଆସିବ ନାହିଁ।

13 ଆଉ ତୁମ୍ଭେ ଆପଣା ଭକ୍ଷ୍ୟ ନୈବେଦ୍ୟର ପ୍ରତ୍ୟେକ ଦ୍ରବ୍ୟ ଲବଣାକ୍ତ କରିବ; କଦାପି ତୁମ୍ଭେ ଆପଣା ଭକ୍ଷ୍ୟ ନୈବେଦ୍ୟକୁ ତୁମ୍ଭ ପରମେଶ୍ୱରଙ୍କ ନିୟମସୂଚକ ଲବଣରହିତ ହେବାକୁ ଦେବ ନାହିଁ; ତୁମ୍ଭର ସମସ୍ତ ନୈବେଦ୍ୟ ସହିତ ଲବଣ ଉତ୍ସର୍ଗ କରିବ।

14 ପୁଣି ଯଦି ତୁମ୍ଭେ ଆପଣା ପ୍ରଥମ ଫଳର ନୈବେଦ୍ୟ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କର, ତେବେ ତୁମ୍ଭ ପ୍ରଥମଜାତ ଫଳର ନୈବେଦ୍ୟ ରୂପେ ଅଗ୍ନିରେ ଭଜା ଶିଷା, ଅର୍ଥାତ୍‍, ମର୍ଦ୍ଦିତ କୋମଳ ଶିଷା ଉତ୍ସର୍ଗ କରିବ।

15 ପୁଣି ତହିଁ ଉପରେ ତୈଳ ଦେବ ଓ କୁନ୍ଦୁରୁ ରଖିବ; ତାହା ଭକ୍ଷ୍ୟ ନୈବେଦ୍ୟ।

16 ତହୁଁ ଯାଜକ ତହିଁର ସ୍ମରଣାର୍ଥକ ଅଂଶ ରୂପେ କିଛି ମର୍ଦ୍ଦିତ ଶସ୍ୟ, କିଛି ତୈଳ ଓ ସମସ୍ତ କୁନ୍ଦୁରୁ ଦଗ୍ଧ କରିବ; ତାହା ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଅଗ୍ନିକୃତ ଉପହାର।

Everything we make is available for free because of a generous community of supporters.

Donate