Menu

ଲେବୀୟ ପୁସ୍ତକ 9

IRV

1 ଏଥିଉତ୍ତାରେ ଅଷ୍ଟମ ଦିନରେ ମୋଶା ହାରୋଣଙ୍କୁ ଓ ତାଙ୍କର ପୁତ୍ରଗଣଙ୍କୁ ଓ ଇସ୍ରାଏଲର ପ୍ରାଚୀନବର୍ଗଙ୍କୁ ଡାକିଲେ,

2 ପୁଣି ସେ ହାରୋଣଙ୍କୁ କହିଲେ, “ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ନିଖୁନ୍ତ ଏକ ବୃଷର ବତ୍ସ ଓ ହୋମବଳି ନିମନ୍ତେ ନିଖୁନ୍ତ ଏକ ମେଷ ନେଇ ସଦାପ୍ରଭୁଙ୍କ ସମ୍ମୁଖରେ ଉତ୍ସର୍ଗ କର।

3 ପୁଣି, ଇସ୍ରାଏଲ-ସନ୍ତାନଗଣକୁ କହିବ, ‘ତୁମ୍ଭେମାନେ ସଦାପ୍ରଭୁଙ୍କ ଛାମୁରେ ବଳିଦାନାର୍ଥେ ପାପାର୍ଥକ ବଳି ନିମନ୍ତେ ଏକ ଛାଗ ଓ ହୋମବଳି ନିମନ୍ତେ ଏକ ଗୋବତ୍ସ ଓ ଏକ ମେଷବତ୍ସ ନେବ, ଦୁହେଁ ଏକ ବର୍ଷୀୟ ଓ ନିଖୁନ୍ତ ଥିବେ,

4 ପୁଣି ମଙ୍ଗଳାର୍ଥକ ବଳି ନିମନ୍ତେ ଏକ ଗୋରୁ ଓ ଏକ ମେଷ, ପୁଣି ତୈଳ ମିଶ୍ରିତ ଭକ୍ଷ୍ୟ ନୈବେଦ୍ୟ ନେବ; ଯେହେତୁ ଆଜି ସଦାପ୍ରଭୁ ତୁମ୍ଭମାନଙ୍କୁ ଦର୍ଶନ ଦେଉଅଛନ୍ତି।’”

5 ତହୁଁ ମୋଶା ଯାହା ଆଜ୍ଞା କଲେ, ତାହା ସେମାନେ ସମାଗମ-ତମ୍ବୁ ନିକଟକୁ ଆଣିଲେ, ପୁଣି ସମସ୍ତ ମଣ୍ଡଳୀ ନିକଟବର୍ତ୍ତୀ ହୋଇ ସଦାପ୍ରଭୁଙ୍କ ଛାମୁରେ ଠିଆ ହେଲେ।

6 ଆଉ ମୋଶା କହିଲେ, “ଏହି କଥା କରିବାକୁ ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜ୍ଞା ଦେଲେ; ଏହା କଲେ, ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇବ।”

7 ତହୁଁ ମୋଶା ହାରୋଣଙ୍କୁ କହିଲେ, “ତୁମ୍ଭେ ବେଦି ନିକଟକୁ ଯାଇ ସଦାପ୍ରଭୁଙ୍କ ଆଜ୍ଞାନୁସାରେ ଆପଣାର ପାପାର୍ଥକ ବଳି ଓ ଆପଣା ହୋମବଳି ଉତ୍ସର୍ଗ କର, ପୁଣି ଆପଣା ନିମନ୍ତେ ଓ ଲୋକମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର; ତହିଁ ଉତ୍ତାରେ ଲୋକମାନଙ୍କର ଉପହାର ଉତ୍ସର୍ଗ କରି ସେମାନଙ୍କ ନିମନ୍ତେ ପ୍ରାୟଶ୍ଚିତ୍ତ କର।”

8 ତହିଁରେ ମୋଶାଙ୍କ ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ବେଦି ନିକଟକୁ ଯାଇ ଆପଣା ପାପାର୍ଥକ ବଳିର ଗୋବତ୍ସ ବଧ କଲେ।

9 ତହୁଁ ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣିଲେ; ତହିଁରେ ସେ ଆପଣା ଅଙ୍ଗୁଳି ରକ୍ତରେ ଡୁବାଇ ବେଦିର ଶୃଙ୍ଗ ଉପରେ ଦେଲେ ଓ ଅବଶିଷ୍ଟ ରକ୍ତ ବେଦି ମୂଳରେ ଢାଳିଲେ;

10 ମାତ୍ର ପାପାର୍ଥକ ବଳିର ମେଦ, ଗୁର୍ଦା ଓ ଯକୃତର ଅନ୍ତପ୍ଲାବକ ବେଦି ଉପରେ ଦଗ୍ଧ କଲେ।

11 ପୁଣି, ମାଂସ ଓ ଚର୍ମ ଛାଉଣିର ବାହାରେ ଅଗ୍ନିରେ ଦଗ୍ଧ କଲେ।

12 ଏଥିଉତ୍ତାରେ ହାରୋଣ ହୋମାର୍ଥକ ବଳି ବଧ କଲେ; ପୁଣି ତାହାଙ୍କର ପୁତ୍ରଗଣ ତାଙ୍କ ନିକଟକୁ ରକ୍ତ ଆଣନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ।

13 ଏଥିଉତ୍ତାରେ ସେମାନେ ତାଙ୍କ ନିକଟରେ ହୋମବଳିର ଖଣ୍ଡକୁ ଖଣ୍ଡ ମାଂସ ସହିତ ମସ୍ତକ ସମର୍ପଣ କଲେ; ତହିଁରେ ସେହି ସମସ୍ତ ସେ ବେଦି ଉପରେ ଦଗ୍ଧ କଲେ।

14 ପୁଣି, ସେ ଅନ୍ତ ଓ ପାଦ ଧୌତ କରି ହୋମଦ୍ରବ୍ୟ ସହିତ ବେଦି ଉପରେ ଦଗ୍ଧ କଲେ।

15 ଏଥିଉତ୍ତାରେ ସେ ଲୋକମାନଙ୍କର ଉପହାର ନିକଟକୁ ଆଣିଲେ, ପୁଣି ଲୋକମାନଙ୍କ ପାପାର୍ଥକ ଛାଗ ନେଇ ପ୍ରଥମଟିର ତୁଲ୍ୟ ବଧ କରି ପାପାର୍ଥେ ତାହା ଉତ୍ସର୍ଗ କଲେ;

16 ଏଥିଉତ୍ତାରେ ସେ ହୋମବଳି ଆଣି ବିଧି ଅନୁସାରେ ଉତ୍ସର୍ଗ କଲେ।

17 ଆଉ, ସେ ଭକ୍ଷ୍ୟ ନୈବେଦ୍ୟ ଆଣି ତହିଁରୁ ମୁଠାଏ ନେଇ ପ୍ରଭାତର ହୋମବଳି ସହିତ ବେଦି ଉପରେ ତାହା ଦଗ୍ଧ କଲେ।

18 ମଧ୍ୟ ସେ ଲୋକମାନଙ୍କର ମଙ୍ଗଳାର୍ଥକ ବଳିର ଗୋରୁ ଓ ମେଷ ବଧ କଲେ; ପୁଣି, ହାରୋଣଙ୍କର ପୁତ୍ରଗଣ ତାଙ୍କ ନିକଟରେ ରକ୍ତ ସମର୍ପଣ କରନ୍ତେ, ସେ ବେଦି ଉପରେ ଚାରିଆଡ଼େ ତାହା ସେଚନ କଲେ;

19 ପୁଣି ଗୋରୁର ମେଦ, ମେଷର ମେଦମୟ ଲାଙ୍ଗୁଳ, ଆଉ ଅନ୍ତ, ଗୁର୍ଦାର ଉପରିସ୍ଥ ମେଦ ଓ ଯକୃତର ଉପରିସ୍ଥ ଅନ୍ତପ୍ଲାବକ,

20 ଏହି ସମସ୍ତ ମେଦ ସେମାନେ ବକ୍ଷ ଉପରେ ରଖିଲେ, ପୁଣି, ସେ ବେଦି ଉପରେ ମେଦ ଦଗ୍ଧ କଲେ;

21 ପୁଣି, ମୋଶାଙ୍କର ଆଜ୍ଞାନୁସାରେ ହାରୋଣ ସଦାପ୍ରଭୁଙ୍କ ସମ୍ମୁଖରେ ବକ୍ଷ ଓ ଡାହାଣ ଜଙ୍ଘ ଦୋଳନୀୟ ନୈବେଦ୍ୟ ରୂପେ ଦୋଳାଇଲେ।

22 ତହୁଁ ହାରୋଣ ଲୋକମାନଙ୍କ ପ୍ରତି ଆପଣା ହସ୍ତ ବିସ୍ତାର କରି ସେମାନଙ୍କୁ ଆଶୀର୍ବାଦ କଲେ; ଏହିରୂପେ ପାପାର୍ଥକ ବଳି ଓ ହୋମବଳି ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରି ଓହ୍ଲାଇ ଆସିଲେ।

23 ଏଥିଉତ୍ତାରେ ମୋଶା ଓ ହାରୋଣ ସମାଗମ-ତମ୍ବୁରେ ପ୍ରବେଶ କଲେ; ପୁଣି, ବାହାରେ ଆସି ଲୋକମାନଙ୍କୁ ଆଶୀର୍ବାଦ କଲେ; ସେତେବେଳେ ସମସ୍ତ ଲୋକଙ୍କ ପ୍ରତି ସଦାପ୍ରଭୁଙ୍କର ପ୍ରତାପ ପ୍ରକାଶ ପାଇଲା।

24 ପୁଣି, ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହୋଇ ବେଦି ଉପରିସ୍ଥ ହୋମବଳି ଓ ମେଦ ଭସ୍ମ କଲା, ପୁଣି, ସମସ୍ତ ଲୋକେ ତାହା ଦେଖି ଉଚ୍ଚଧ୍ୱନି କରି ମୁହଁ ମାଡ଼ି ହୋଇ ପଡ଼ିଲେ।

Everything we make is available for free because of a generous community of supporters.

Donate