Menu

ନିହିମୀୟା 6

IRV

1 ଏଥିଉତ୍ତାରେ ମୁଁ ପ୍ରାଚୀର ଗଢ଼ିଅଛି ଓ ତହିଁ ମଧ୍ୟରେ ଆଉ ଭଗ୍ନ ସ୍ଥାନ ନାହିଁ, ଏହି ସମ୍ବାଦ ସନ୍‍ବଲ୍ଲଟ୍‍ ଓ ଟୋବୀୟ ଓ ଆରବୀୟ ଗେଶମ୍‍ ଓ ଆମ୍ଭମାନଙ୍କ ଅନ୍ୟାନ୍ୟ ଶତ୍ରୁମାନେ ଜାଣିଲେ; ଏହି ସମୟରେ ମୁଁ ନଗର-ଦ୍ୱାରସବୁରେ କବାଟ ଝୁଲାଇ ନ ଥିଲି।

2 ସେତେବେଳେ ସନ୍‍ବଲ୍ଲଟ୍‍ ଓ ଗେଶମ୍‍ ମୋʼ ନିକଟକୁ ଲୋକ ପଠାଇ କହିଲେ, “ଆସ, ଆମ୍ଭେମାନେ ଓନୋ ପଦାସ୍ଥିତ କୌଣସି ଏକ ଗ୍ରାମରେ ଏକତ୍ରିତ ହେଉ।” ମାତ୍ର ସେମାନେ ମୋହର ଅନିଷ୍ଟ କରିବାକୁ ବିଚାର କରିଥିଲେ।

3 ଏଥିରେ ମୁଁ ସେମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲି, “ମୁଁ ଏକ ମହତ୍ କର୍ମ କରୁଅଛି, ଏଥିପାଇଁ ଓହ୍ଲାଇ ଆସି ନ ପାରେ; ତୁମ୍ଭମାନଙ୍କ ନିକଟକୁ ଓହ୍ଲାଇ ଯାଇ କାହିଁକି କାର୍ଯ୍ୟ ବନ୍ଦ କରିବି?”

4 ଏହି ପ୍ରକାରେ ସେମାନେ ଚାରି ଥର ମୋʼ ନିକଟକୁ ଲୋକ ପଠାଇଲେ; ମାତ୍ର ମୁଁ ସେମାନଙ୍କୁ ସେହି ପ୍ରକାର ଉତ୍ତର ଦେଲି।

5 ଏହାପରେ ସନ୍‍ବଲ୍ଲଟ୍‍ ଆପଣା ଦାସ ହାତରେ ଖଣ୍ଡେ ଖୋଲା ଚିଠି ଦେଇ ପଞ୍ଚମ ଥର ସେହି ପ୍ରକାରେ ମୋʼ ନିକଟକୁ ପଠାଇଲା।

6 ତହିଁରେ ଏହା ଲେଖାଥିଲା, “ଗୋଷ୍ଠୀୟମାନଙ୍କ ମଧ୍ୟରେ ଏହି ଜନରବ ହୋଇଅଛି, ମଧ୍ୟ ଗେଶମ୍‍ ଏହା କହୁଅଛି ଯେ, ତୁମ୍ଭେ ଓ ଯିହୁଦୀୟମାନେ ରାଜଦ୍ରୋହ କରିବାକୁ ବିଚାର କରୁଅଛ; ତହିଁ ନିମନ୍ତେ ତୁମ୍ଭେ ପ୍ରାଚୀର ନିର୍ମାଣ କରୁଅଛ; ଏହି ଜନରବ ଅନୁସାରେ ତୁମ୍ଭେ ସେମାନଙ୍କର ରାଜା ହେବାକୁ ଇଚ୍ଛା କରୁଅଛ।

7 ଆହୁରି, ଯିହୁଦାରେ ଏକ ରାଜା ଅଛନ୍ତି ବୋଲି ଆପଣା ବିଷୟ ଯିରୂଶାଲମରେ ଘୋଷଣା କରିବା ପାଇଁ ତୁମ୍ଭେ ଭବିଷ୍ୟଦ୍‍ବକ୍ତାମାନଙ୍କୁ ନିଯୁକ୍ତ କରିଅଛ; ଏହି ଜନରବ ରାଜାଙ୍କ ନିକଟରେ ଉପସ୍ଥିତ ହେବ। ଏହେତୁ ଏବେ ଆସ, ଆମ୍ଭେମାନେ ଏକତ୍ର ମନ୍ତ୍ରଣା କରୁ।”

8 ତହୁଁ ମୁଁ ତାହା ନିକଟକୁ କହି ପଠାଇଲି, “ତୁମ୍ଭେ ଯାହା କହୁଅଛ, ସେପରି କୌଣସି କାର୍ଯ୍ୟ କରାଯାଉ ନାହିଁ; ତୁମ୍ଭେ କେବଳ ଆପଣା ମନରୁ ତାହାସବୁ କଳ୍ପନା କରୁଅଛ।

9 ଏହି କର୍ମରେ ସେମାନଙ୍କର ହସ୍ତ ଦୁର୍ବଳ ହେଲେ ତାହା ସମାପ୍ତ ନୋହିବ ବୋଲି” ସେସମସ୍ତେ ଆମ୍ଭମାନଙ୍କୁ ଭୀତ କରିବାକୁ ଇଚ୍ଛା କଲେ; ଏଣୁ ହେ ପରମେଶ୍ୱର, ମୋହର ହସ୍ତ ସବଳ କର।

10 ଏହାପରେ ମହେଟବେଲର ପୌତ୍ର ଦଲୟିୟର ପୁତ୍ର ଯେଉଁ ଶମୟୀୟ ଗୃହରେ ରୁଦ୍ଧ ଥିଲା, ମୁଁ ତାହା ଗୃହକୁ ଗଲି, ତହୁଁ ସେ କହିଲା, “ଆମ୍ଭେମାନେ ପରମେଶ୍ୱରଙ୍କ ଗୃହରେ, ମନ୍ଦିର ମଧ୍ୟରେ ଏକତ୍ରିତ ହେଉ ଓ ମନ୍ଦିରର ଦ୍ୱାରସବୁ ବନ୍ଦ କରୁ; କାରଣ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ; ରାତ୍ରିରେ ସେମାନେ ତୁମ୍ଭକୁ ବଧ କରିବାକୁ ଆସିବେ।”

11 ତହିଁରେ ମୁଁ କହିଲି, “ମୋʼ ପରି ଲୋକ କʼଣ ପଳାଇବ? ମୋʼ ପରି ହୋଇ ପ୍ରାଣ ବଞ୍ଚାଇବା ପାଇଁ ଯେ ମନ୍ଦିର ଭିତରକୁ ଯିବ, ଏପରି କିଏ ଅଛି? ମୁଁ ଭିତରକୁ ଯିବି ନାହିଁ।”

12 ମାତ୍ର ମୁଁ ଚିହ୍ନିଲି, ଆଉ ଦେଖ, ପରମେଶ୍ୱର ତାହାକୁ ପଠାଇ ନ ଥିଲେ; ତଥାପି ସେ ମୋʼ ବିରୁଦ୍ଧରେ ଏହି ଭବିଷ୍ୟଦ୍‍ବାକ୍ୟ ପ୍ରଚାର କଲା; ଆଉ, ଟୋବୀୟ ଓ ସନ୍‍ବଲ୍ଲଟ୍‍ ତାହାକୁ ବେତନ ଦେଇଥିଲେ।

13 ମୁଁ ଯେପରି ଭୀତ ହେବି ଓ ସେହି କର୍ମ କରି ପାପ କରିବି, ପୁଣି ସେମାନେ ଯେପରି ମୋତେ ତିରସ୍କାର କରିବା ପାଇଁ ମୋହର ଦୁର୍ନାମର କାରଣ ପାଇବେ, ଏହି ଅଭିପ୍ରାୟରେ ତାହାକୁ ବେତନ ଦିଆଯାଇଥିଲା।

14 ହେ ମୋହର ପରମେଶ୍ୱର, ଟୋବୀୟ ଓ ସନ୍‍ବଲ୍ଲଟ୍‍ର ଏହିସବୁ କର୍ମାନୁସାରେ ସେମାନଙ୍କୁ, ଆଉ ମୋତେ ଭୟଗ୍ରସ୍ତ କରିବାକୁ ଇଚ୍ଛା କଲେ ଯେ ନୋୟଦୀୟା ଭବିଷ୍ୟଦ୍‍ବକ୍ତ୍ରୀ ଓ ଅନ୍ୟାନ୍ୟ ଭବିଷ୍ୟଦ୍‍ବକ୍ତା, ସେମାନଙ୍କୁ ସ୍ମରଣ କର।

15 ତହୁଁ ବାବନ ଦିନ ମଧ୍ୟରେ ଇଲୂଲ ମାସର ପଚିଶତମ ଦିନରେ ପ୍ରାଚୀର ସମାପ୍ତ ହେଲା।

16 ପୁଣି, ଆମ୍ଭମାନଙ୍କର ଶତ୍ରୁ ସମସ୍ତେ ଏହା ଶୁଣନ୍ତେ, ଏପରି ହେଲା ଯେ, ଆମ୍ଭମାନଙ୍କ ଚତୁର୍ଦ୍ଦିଗସ୍ଥ ଅନ୍ୟ ଦେଶୀୟ ସମସ୍ତେ ଭୀତ ହେଲେ ଓ ଆପଣାମାନଙ୍କ ଦୃଷ୍ଟିରେ ନିତାନ୍ତ ଲଜ୍ଜିତ ହେଲେ, କାରଣ ଏହି କର୍ମ ଯେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଡ଼ୁ ହେଲା, ଏହା ସେମାନେ ବୁଝିଲେ।

17 ଆହୁରି, ସେସମୟରେ ଯିହୁଦାର କୁଳୀନମାନେ ଟୋବୀୟ ନିକଟକୁ ଅନେକ ପତ୍ର ପଠାଇଲେ ଓ ଟୋବୀୟର ନାନା ପତ୍ର ସେମାନଙ୍କ ନିକଟକୁ ଆସିଲା।

18 କାରଣ, ସେ ଆରହର ପୁତ୍ର ଶଖନୀୟର ଜୁଆଁଇ ହେବାରୁ ଓ ତାହାର ପୁତ୍ର ଯିହୋହାନନ୍‍ ବେରିଖୀୟର ପୁତ୍ର ମଶୁଲ୍ଲମ୍‍ର କନ୍ୟାକୁ ବିବାହ କରିଥିବାରୁ ଯିହୁଦା ମଧ୍ୟରେ ଅନେକେ ତାହା ପକ୍ଷରେ ଶପଥ କରିଥିଲେ।

19 ଆହୁରି, ସେମାନେ ତାହାର ଉତ୍ତମ କର୍ମର କଥା ମୋତେ କହିଲେ ଓ ମୋʼ କଥାସବୁ ତାହାକୁ ଜଣାଇଲେ। ଆଉ, ମୋତେ ଭୟଗ୍ରସ୍ତ କରିବା ପାଇଁ ଟୋବୀୟ ନାନା ପତ୍ର ପଠାଇଲା।

Everything we make is available for free because of a generous community of supporters.

Donate