Menu

ଗୀତସଂହିତା 140

IRV

1 ହେ ସଦାପ୍ରଭୋ, ଦୁର୍ଜ୍ଜନଠାରୁ ମୋତେ ଉଦ୍ଧାର କର; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର।

2 ସେମାନେ ମନେ ମନେ କୁକଳ୍ପନା କରନ୍ତି; ସେମାନେ ଯୁଦ୍ଧ କରିବାକୁ ପ୍ରତିଦିନ ଏକତ୍ରିତ ହୁଅନ୍ତି।

3 ସେମାନେ ସର୍ପ ପରି ଆପଣା ଆପଣା ଜିହ୍ୱା ତୀକ୍ଷ୍ଣ କରିଅଛନ୍ତି; ସେମାନଙ୍କ ଓଷ୍ଠାଧର ତଳେ କାଳସର୍ପର ଗରଳ ଥାଏ। [ସେଲା]

4 ହେ ସଦାପ୍ରଭୋ, ଦୁଷ୍ଟର ହସ୍ତରୁ ମୋତେ ରଖ; ଦୌରାତ୍ମ୍ୟକାରୀ ମନୁଷ୍ୟଠାରୁ ମୋତେ ରକ୍ଷା କର; ସେମାନେ ବିପଥକୁ ମୋʼ ଚରଣ ପେଲି ଦେବା ପାଇଁ କଳ୍ପନା କରିଅଛନ୍ତି।

5 ଅହଙ୍କାରୀମାନେ ଗୋପନରେ ମୋʼ ପାଇଁ ଫାନ୍ଦ ଓ ଦଉଡ଼ି ପାତିଅଛନ୍ତି। ସେମାନେ ପଥ ପାର୍ଶ୍ୱରେ ଜାଲ ପ୍ରସାରି ଅଛନ୍ତି; ସେମାନେ ମୋʼ ପାଇଁ ଯନ୍ତା ବସାଇ ଅଛନ୍ତି। [ସେଲା]

6 ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମୋହର ପରମେଶ୍ୱର; ହେ ସଦାପ୍ରଭୋ, ମୋʼ ନିବେଦନର ରବରେ କର୍ଣ୍ଣପାତ କର।

7 ହେ ମୋʼ ପରିତ୍ରାଣର ବଳ ସ୍ୱରୂପ, ପ୍ରଭୋ ସଦାପ୍ରଭୋ, ତୁମ୍ଭେ ଯୁଦ୍ଧର ଦିନରେ ମୋʼ ମସ୍ତକ ରକ୍ଷା କରିଅଛ।

8 ହେ ସଦାପ୍ରଭୋ, ଦୁଷ୍ଟର ବାଞ୍ଛା ପ୍ରଦାନ କର ନାହିଁ; ତାହାର କୁକଳ୍ପନା ସିଦ୍ଧ କର ନାହିଁ; କେଜାଣି ସେମାନେ ଆପଣାମାନଙ୍କୁ ଗର୍ବିତ କରିବେ। [ସେଲା]

9 ଯେଉଁମାନେ ମୋତେ ଘେରିଅଛନ୍ତି, ସେମାନଙ୍କ ନିଜ ଓଷ୍ଠାଧରର ଦୌରାତ୍ମ୍ୟ ସେମାନଙ୍କ ମସ୍ତକ ଉପରେ ବର୍ତ୍ତୁ।

10 ସେମାନଙ୍କ ଉପରେ ଜ୍ୱଳନ୍ତା ଅଙ୍ଗାର ପଡ଼ୁ। ସେମାନେ ଅଗ୍ନିରେ ନିକ୍ଷିପ୍ତ ହେଉନ୍ତୁ; ସେମାନେ ଯେପରି ଆଉ ଉଠି ନ ପାରିବେ, ଏଥିପାଇଁ ଗଭୀର ଗର୍ତ୍ତରେ ନିକ୍ଷିପ୍ତ ହେଉନ୍ତୁ।

11 ଦୁର୍ମୁଖ ଲୋକ ପୃଥିବୀରେ ସ୍ଥିର ହେବ ନାହିଁ; ଉପଦ୍ରବୀକୁ ନିପାତ କରିବା ପାଇଁ ଅମଙ୍ଗଳ ମୃଗୟା କରିବ।

12 ସଦାପ୍ରଭୁ ଦୁଃଖୀର ବିବାଦ ଓ ଦୀନହୀନର ବିଚାର ନିଷ୍ପନ୍ନ କରିବେ, ଏହା ମୁଁ ଜାଣେ।

13 ଧାର୍ମିକମାନେ ଅବଶ୍ୟ ତୁମ୍ଭ ନାମର ଧନ୍ୟବାଦ କରିବେ; ସରଳ ଲୋକମାନେ ତୁମ୍ଭ ଛାମୁରେ ବାସ କରିବେ।

Everything we make is available for free because of a generous community of supporters.

Donate