Menu

ଗୀତସଂହିତା 26

IRV

1 ହେ ସଦାପ୍ରଭୋ, ମୋହର ବିଚାର କର, କାରଣ ମୁଁ ନିଜ ସିଦ୍ଧତାରେ ଆଚରଣ କରିଅଛି; ମଧ୍ୟ ମୁଁ ଅଟଳ ଭାବରେ ସଦାପ୍ରଭୁଙ୍କର ଶରଣ ନେଇଅଛି।

2 ହେ ସଦାପ୍ରଭୋ, ମୋତେ ପରୀକ୍ଷା କରି ପ୍ରମାଣ ନିଅ; ମୋର ମର୍ମ ଓ ଚିତ୍ତ ପରିଷ୍କାର କର।

3 କାରଣ ତୁମ୍ଭର ସ୍ନେହପୂର୍ଣ୍ଣ କରୁଣା ମୋʼ ଦୃଷ୍ଟିଗୋଚରରେ ଅଛି; ମୁଁ ତୁମ୍ଭ ସତ୍ୟତାରେ ଆଚରଣ କରିଅଛି।

4 ମୁଁ ଅସାର ଲୋକଙ୍କ ସଙ୍ଗେ ବସି ନାହିଁ; କିଅବା ମୁଁ କପଟୀମାନଙ୍କ ସଙ୍ଗେ ଗମନ କରିବି ନାହିଁ।

5 ମୁଁ ଦୁଷ୍କର୍ମକାରୀମାନଙ୍କ ସମାଜକୁ ଘୃଣା କରେ, ପୁଣି, ଦୁଷ୍ଟମାନଙ୍କ ସଙ୍ଗେ ବସିବି ନାହିଁ।

6 ହେ ସଦାପ୍ରଭୋ, ଯେପରି ମୁଁ ଧନ୍ୟବାଦ-ସ୍ୱର ଶୁଣାଇବି ଓ ତୁମ୍ଭର ଆଶ୍ଚର୍ଯ୍ୟ କ୍ରିୟାସକଳ ବର୍ଣ୍ଣନା କରିବି,

7 ଏଥିପାଇଁ ମୁଁ ନିର୍ଦ୍ଦୋଷତାରେ ଆପଣା ହସ୍ତ ପ୍ରକ୍ଷାଳନ କରି ତୁମ୍ଭର ଯଜ୍ଞବେଦି ପ୍ରଦକ୍ଷିଣ କରିବି।

8 ହେ ସଦାପ୍ରଭୋ, ମୁଁ ତୁମ୍ଭର ନିବାସ-ଗୃହକୁ ଓ ତୁମ୍ଭ ଗୌରବର ବାସସ୍ଥାନକୁ ସ୍ନେହ କରେ।

9 ପାପୀମାନଙ୍କ ସଙ୍ଗେ ମୋʼ ପ୍ରାଣକୁ କିଅବା ରକ୍ତପାତକାରୀ ମନୁଷ୍ୟମାନଙ୍କ ସଙ୍ଗେ ମୋʼ ଜୀବନକୁ ସଂଗ୍ରହ କର ନାହିଁ।

10 ସେମାନଙ୍କ ହସ୍ତରେ ଅନିଷ୍ଟ ଥାଏ, ପୁଣି, ସେମାନଙ୍କ ଦକ୍ଷିଣ ହସ୍ତ ଲାଞ୍ଚରେ ପରିପୂର୍ଣ୍ଣ।

11 ମାତ୍ର ମୁଁ ନିଜ ସିଦ୍ଧତାରେ ଆଚରଣ କରିବି; ମୋତେ ମୁକ୍ତ କର ଓ ମୋʼ ପ୍ରତି ସଦୟ ହୁଅ।

12 ମୋʼ ଚରଣ ସମଭୂମିରେ ଠିଆ ହେଉଅଛି; ମୁଁ ମଣ୍ଡଳୀଗଣ ମଧ୍ୟରେ ସଦାପ୍ରଭୁଙ୍କର ଧନ୍ୟବାଦ କରିବି।

Everything we make is available for free because of a generous community of supporters.

Donate